ମା’କୁ କୁରାଢ଼ୀରେ ହାଣି ମାରିଦେଲା ପୁଅ
ଭଦ୍ରକ : ପାରିବାରିକ କଳହର କରୁଣ ପରିଣତି । ପହିଲି ରଜରେ ନିଜ ଜନ୍ମ କଲା ମା’କୁ କୁରାଢ଼ୀରେ ହାଣି ହତ୍ୟା କଲା ପୁଅ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ । ବନ୍ତ ଥାନା ଅନ୍ତର୍ଗତ ଜିରିଣା ଗୁଡ଼ିଆ ସାହିରେ ଘଟିଛି ଏହି ସାଂଘାତିକ କାଣ୍ଡ l ଏହି ଗ୍ରାମର ମମତା ସାହୁଙ୍କୁ ତାଙ୍କ ପୁଅ ପ୍ରିତମ ସାହୁ କୁରାଢ଼ୀ ରେ ନିର୍ମମ ଭାବେ ହତ୍ୟା କରିଛି ।
ତେବେ କେଉଁ ପରିସ୍ଥିତିରେ ଏବଂ କେଉଁ କାରଣ ପାଇଁ ପୁଅ ଏଭଳି ଚରମ ନିଷ୍ପତ୍ତି ନେଲା, ସେ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ପ୍ରାଥମିକ ସୂଚନା ମୁତାବକ, ପାରିବାରିକ କଳହ ଯୋଗୁଁ ହିଁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।
ଖବର ପାଇ ବନ୍ତ ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ ଯୁବକ ପ୍ରିତମ ସାହୁକୁ କାବୁ କରି ତା ନିକଟରୁ କୁରାଢ଼ୀକୁ ମଧ୍ୟ ଜବତ୍ କରିଛି I ପୋଲିସ ତାକୁ ଗିରଫ କରି ଥାନାକୁ ନେଇ ଅଧିକ ପଚରାଉଚରା ଜାରି ରଖିଛି । ପବିତ୍ର ରଜ ପର୍ବରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଜନ୍ମକଲା ମା’କୁ ପୁଅ କାହିଁକି ହତ୍ୟା କଲା l କ’ଣ ଥିଲା ସେହି ପାରିବାରିକ ବିବାଦ l ଏହା ପଛରେ ଅନ୍ୟ କିଛି କାରଣ ରହିଛି କି ସେ ସମସ୍ତ ଦିଗ ଉପରେ ବନ୍ତ ଥାନା ପୋଲିସ ଅଧିକ ତଦନ୍ତ କରୁଛି l
