କଲକତା ପୁଲିସର ଇନଷ୍ଟାଣ୍ଟ ଜଷ୍ଟିସ: ଉଲଗ୍ନକାରୀଙ୍କୁ ଖୋଲାଦେହରେ ରାସ୍ତାରେ ବୁଲାଇବା ପରେ ଗିରଫ କଲା
କୋଲକତା: କଥାରେ ଅଛି ଯେସାକୁ ତେସା..ଅର୍ଥାତ ଯିଏ ଯେମିତି କରିବ, ତାକୁ ସେମିତି ମିଳିବ । କଲକତା ପୋଲିସ ସେମିତି କିଛି କାର୍ଯ୍ୟ କରି ଦେଖାଇଛି ଯାହା ଏବେ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଜଣେ ନାବାଳିକାର ବାପା, ବଡ଼ଭାଇ ଓ ତା ମାମୁଙ୍କୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ତା ପରେ ଯାଇ ଗିରଫ କରିଛି ପୋଲିସ । କାରଣ ଏହି ୩ ଜଣ ମିଶି ଜଣେ ନାବାଳକ, ତା ବାପା ଓ ତା’ର ଜଣେ ସାଙ୍ଗକୁ ମଧ୍ୟ ଏମିତି ରାସ୍ତାରେ ବିନା କପଡ଼ାରେ ବୁଲାଇଥିଲେ । ସୋସିଆଲ ମିଡିଆରେ ଏଭଳି ଘୃଣ୍ୟ ଦୃଶ୍ୟ ଭାଇରାଲ ହେବା ପରେ ଯେସା କୁ ତେସା ନ୍ୟାୟରେ ପୁଲିସ ଅଭିଯୁକ୍ତମାନଙ୍କୁ ଏଭଳି ଶାସ୍ତି ବିଧାନ କରିଛି ।
ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା । କଲକତା ବେହେଲା ଖୁଦିରାମପାଲି ଅଞ୍ଚଳର ଜଣେ ନାବାଳକର ସରସୁନା ଅଂଚଳର ଜଣେ ନାବଳିକା ସହ ପ୍ରେମ ସମ୍ପର୍କ ଥିଲା । ଗତ ରବିବାର ସନ୍ଧ୍ୟାରେ ନାବାଳକ ଜଣକ ନିଜର ଜଣେ ବନ୍ଧୁ ସହ ନାବାଳିକା ଘରକୁ ଯାଇଥିଲା । ତେବେ ସେଠାରେ ଉକ୍ତ ନାବାଳକ ଓ ନାବାଳିକାଙ୍କୁ ଆପତ୍ତିଜନକ ଅବସ୍ଥାରେ ନାବାଳିକାର ପରିବାର ଲୋକ ଦେଖିଦେଲେ । ତା ପରେ ନାବାଳକ ଓ ତା ବନ୍ଧୁକୁ, ନାବାଳିକାର ପରିବାର ଲୋକେ ଏକ ଘରେ ବନ୍ଦୀ କରି ରଖିବା ସହ ବାପାଙ୍କୁ ଡାକିବାକୁ ଧମକ ଦେଇଥିଲେ । ନାବାଳକର ବାପା ଘଟଣାସ୍ଥଳରେ ପହଂଚିଲା ପରେ ନାବାଳିକାର ମାମୁ ତାଙ୍କୁ ଏକ ବନ୍ଧୁକ ଧରାଇ ‘ପୁଅକୁ ଗୁଳିକର, ନ ହେଲେ ବାପ ପୁଅ ଉଲଗ୍ନ ହୋଇ ରାସ୍ତାରେ ଚାଲ’ ବୋଲି କୁଆଡେ ଧମକ ଦେଇଥିଲେ । ଶେଷରେ ବାଧ୍ୟହୋଇ ନାବାଳକର ବାପା, ନିଜେ ନାବାଳକ ଓ ତା ବନ୍ଧୁ, ୩ ଜଣ ବିବସ୍ତ୍ର ହୋଇ ରାସ୍ତାରେ ବୁଲିଥିଲେ । ସେମାନଙ୍କ ହାତକୁ ମଧ୍ୟ ରଶିରେ ବାନ୍ଧି ଦିଆଯାଇଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ, କିଛି ଲୋକ ମଧ୍ୟ ସେମାନଙ୍କୁ କାଚ ବୋତଲରେ ମାଡ ମାରି ଆହତ କରିଥିଲେ । ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମ୍ପୃକ୍ତ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା ।
ନାବାଳକଙ୍କ ସମର୍ଥକ ଓ ତାଙ୍କ ଅଞ୍ଚଳର ଲୋକେ ମଙ୍ଗଳବାର ଉକ୍ତ ନାବାଳିକାର ପରିବାର ଉପରେ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ବେଳେ ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାଶୁଝା କରିଥିଲା । ତୁରନ୍ତ ନ୍ୟାୟ ସ୍ୱରୂପ ଅପରାଧ ଘଟାଇଥିବା ନାବାଳିକାର ବାପା, ଭାଇ ଓ ମାମୁଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିବା ସହ ସେମାନେ ଯେମିତି ଉକ୍ତ ବାପ ପୁଅଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ, ଠିକ୍ ସେମିିତି, ସେମାନଙ୍କ ଦେହରୁ ସାର୍ଟ ଖୋଲି ଫୁଙ୍ଗୁଳା ଦେହରେ ସମାନ ରାସ୍ତାରେ ଶହ ଶହ ଜନତାଙ୍କ ଆଗରେ ଚଲାଇ ଚଲାଇ ଥାନାକୁ ନେଇଥିଲା । ପରେ ଉକ୍ତ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । କଲକତା ପୁଲିସର ଏଭଳି ତ୍ୱରିତ ନ୍ୟାୟକୁ ସାମାଜିକ ଗଣମାଧ୍ୟମରେ ପ୍ରବଳ ପ୍ରଶଂସା ମିଳୁଛି ।
