Jail web

ଜେଲ୍ କର୍ମଚାରୀଙ୍କୁ ଆକ୍ରମଣ କରି ୧୭ କଏଦୀ ଫେରାର

Spread the love

ତାମିଲନାଡୁ : ତାମିଲନାଡୁର ଥେନି ଜିଲ୍ଲାରେ ଥିବା ଏକ ଜେଲରୁ ୧୭ ଜଣ କଏଦୀ ଫେରାର ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି । ସୋମବାର ବିଳମ୍ବିତ ରାତିରେ ଥେନି ଜିଲ୍ଲାରେ ଥିବା ଜେଲରୁ ଏତେ ବଡ଼ ସଂଖ୍ୟାରେ କଏଦୀ ଫେରାର ହୋଇଛନ୍ତି । ଜେଲ୍ କର୍ମଚାରୀଙ୍କ ଉପରେ ଆକ୍ରମଣ କରି କଏଦୀମାନେ ଖସିଯାଇଥିବା ଜଣାପଡ଼ିଛି । ଘଟଣା ପରେ ପୋଲିସ ପକ୍ଷରୁ ବ୍ୟାପକ ଖୋଜାଖୋଜି ଅଭିଯାନ ଆରମ୍ଭ ହୋଇଛି । ଫେରାର କଏଦୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି ।

ଖବର ମୁତାବକ, ସମସ୍ତ ୧୭ ଜଣ କଏଦୀଙ୍କୁ ଗୋଟିଏ କୋଠରୀରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଅସୁସ୍ଥ ଥିବା ଖବର ପାଇ ଜେଲ୍ କର୍ମଚାରୀମାନେ କୋଠରୀ ଭିତରକୁ ଯାଇଥିଲେ । ଏହି ସମୟରେ କଏଦୀମାନେ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହାର ସୁଯୋଗ ନେଇ ସେମାନେ ଜେଲରୁ ଫେରାର ହୋଇଯାଇଥିଲେ । ଘଟଣା ପରେ ପଡ଼ୋଶୀ ଦିଣ୍ଡିଗୁଲ ଜିଲ୍ଲାର ୧୬ଟି ସ୍ଥାନରେ ଯାଞ୍ଚ କେନ୍ଦ୍ର ସ୍ଥାପନ କରାଯାଇଛି । ଏହି ରାସ୍ତାଗୁଡ଼ିକ ଦେଇ ଯାତାୟାତ କରୁଥିବା ଗାଡ଼ି ମୋଟରକୁ ଯାଞ୍ଚ କରାଯାଉଛି । ଏଥିସହ ଆଖପାଖ ଜିଲ୍ଲାଗୁଡ଼ିକର ପୋଲିସକୁ ସତର୍କ କରାଯାଇଛି ।

ଦକ୍ଷିଣ ଜୋନ ପୋଲିସ ମହାନିରୀକ୍ଷକ (ଆଇଜିପି) ବିଜୟେନ୍ଦ୍ର ବିଦାରୀ ଜଣେ ଫେରାର କଏଦୀଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛନ୍ତି । ଅନ୍ୟ କଏଦୀମାନଙ୍କୁ ଖୋଜି ବାହାର କରିବା ପାଇଁ ପୋଲିସ ଜୋରଦାର ଅଭିଯାନ ଚଳାଇଛି ତେବେ ଫେରାର କଏଦୀଙ୍କୁ ଧରିବା ପାଇଁ ଇଡୁକ୍କି, ମଦୁରାଇ ଓ ଦିଣ୍ଡିଗୁଲ ଜିଲ୍ଲାର ପୋଲିସକୁ ସତର୍କ କରାଯାଇଛି । କଏଦୀମାନଙ୍କୁ ଚିହ୍ନଟ କରିବା ଓ ଗିରଫ କରିବା ସହଜ ହେବା ପାଇଁ ସେମାନଙ୍କ ଫଟୋ ପୋଲିସ ଅଧିକାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି ।

Leave a Reply

Your email address will not be published. Required fields are marked *