ରାତି ୨ରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ’ଅର୍ଣ୍ଣବ’
ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ (Cyclone Arnab) ଆଶା କରାଯାଉଥିବା ସମୟ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୨୮ (ବୁଧବାର) ବିଳମ୍ବିତ ରାତି ୨ଟାରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି। ରାତି ୨ଟାରୁ ଭୋର୍ ୪ଟା ମଧ୍ୟରେ ରହିଛି। ଆଜି ମଧ୍ୟରାତ୍ରୀରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସମ୍ଭାବନା। ବାତ୍ୟା ‘ଅର୍ଣ୍ଣବ’ ଅପେକ୍ଷାକୃତ ଶୀଘ୍ର ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।
ସ୍ଥଳଭାଗ ଛୁଇଁବା ବେଳେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୨୫-୧୩୫ କିମି ରହିବ ଏବଂ ଏହା ଝଟକା ପବନ (Gusting) ସହ ୧୫୦ କିମି ପର୍ଯ୍ୟନ୍ତ ବଢ଼ିପାରେ। ବାତ୍ୟାର ବାହ୍ୟ ବଳୟ (Outer spiral band) ସ୍ଥଳଭାଗରେ ପ୍ରବେଶ କରିସାରିଛି। ଏହା ଆନ୍ଧ୍ରପ୍ରଦେଶର ୟାନମ ର ଦକ୍ଷିଣ ଉପକୂଳ ଏବଂ ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ପ୍ରଭାବ ପକାଇବ। ଓଡ଼ିଶାର କଟକ ଓ ଭୁବନେଶ୍ୱର ଭଳି ଟ୍ୱିନ୍ ସିଟିରେ ମଧ୍ୟ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି।
ଆଗାମୀ ୧୨ ଘଣ୍ଟା ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୁରକ୍ଷିତ ରହିବାକୁ ଏବଂ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଜାରି ହୋଇଛି। ସମସ୍ତ ଆଶ୍ରୟସ୍ଥଳୀକୁ ତୁରନ୍ତ ସୁବ୍ୟବସ୍ଥିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ସହ କୌଣସି ବି ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ଜନସାଧାରଣ କେବଳ ସରକାରୀ ସୂଚନାକୁ ବିଶ୍ବାସ କରିବା ସହ ପ୍ରଶାସନକୁ ସହଯୋଗ କରି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ନିମନ୍ତେ ପରାମର୍ଶ ଦିଆଯାଇଛି । ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ୟ୍ୟ କରୁଛନ୍ତି।
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର , ନୂଆପଡ଼ା, କଳାହାଣ୍ଡି ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ବାତ୍ୟା ସମୟରେ କୌଣସି ପ୍ରକାରେ ଜୀବନହାନି ନଘଟିବା ପାଇଁ ସରକାର ‘ଜିରୋ କାଜୁଆଲ୍ଟି’ ନୀତି ଗ୍ରହଣ କରିଛନ୍ତି।
