Eci

SIR ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଲେ ECI, ଆବେଦନକୁ କଲେ ବିରୋଧ

Spread the love

ନୂଆଦିଲ୍ଲୀ: SIRକୁ ନେଇ ସୁପ୍ରିମକୋର୍ଟରେ ପୁଣି ନିଜ ପକ୍ଷ ରଖିଛନ୍ତି ଭାରତୀୟ ନିର୍ବାଚନ କମିଶନ । ନୂଆ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ବ୍ୟବହୃତ ଫର୍ମ-୬ରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି କମିଶନ ସ୍ପଷ୍ଟ କରିଛନ୍ତି । ଏହା ସହିତ ଜରୁରୀ ପରିସ୍ଥିତିରେ ନିର୍ବାଚନ କମିଶନରମାନଙ୍କ ସହମତି ଇଲେକ୍ଟ୍ରୋନିକ୍ ମାଧ୍ୟମରେ ନିଆଯାଉଥିବା ମଧ୍ୟ ଜଣାଇଛନ୍ତି । ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ କମିଶନ କହିଛନ୍ତି ଯେ, SIR ସମୟରେ ମଗାଯାଉଥିବା ଅତିରିକ୍ତ ଘୋଷଣାପତ୍ର ଏକ ଅଲଗା ଦସ୍ତାବିଜ । ଏହାକୁ ଫର୍ମ-୬ରେ ସଂଶୋଧନ ବୋଲି କୁହାଯାଇପାରିବ ନାହିଁ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଅତିରିକ୍ତ ଘୋଷଣାପତ୍ର ବ୍ୟବସ୍ଥା କରାଯାଇଥିବା କମିଶନ ଯୁକ୍ତି ରଖିଛନ୍ତି ।

ସେହିପରି କମିଶନଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନର ମଧ୍ୟ ଜବାବ ଦିଆଯାଇଛି । କମିଶନଙ୍କ କହିବା ଅନୁସାରେ, ସାଧାରଣତଃ ବିଭିନ୍ନ ପ୍ରସଙ୍ଗରେ ତିନିଜଣ କମିଶନର ଆଲୋଚନା କରି ନିଷ୍ପତ୍ତି ନେଇଥାନ୍ତି । ତେବେ କୌଣସି ଜରୁରୀ ପ୍ରସଙ୍ଗରେ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼ିଲେ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ସେମାନଙ୍କ ଅନୁମୋଦନ ନିଆଯାଇଥାଏ । ନିର୍ବାଚନ କମିଶନଙ୍କ ଆଭ୍ୟନ୍ତରୀଣ କାର୍ଯ୍ୟପ୍ରଣାଳୀକୁ ନେଇ ଦାଖଲ ହୋଇଥିବା ଆବେଦନକୁ ମଧ୍ୟ କମିଶନ ବିରୋଧ କରିଛନ୍ତି । ଏହି ଆବେଦନ କେବଳ ଗୋଟିଏ ଖବରକାଗଜର ରିପୋର୍ଟ ଉପରେ ଆଧାରିତ ବୋଲି କମିଶନ ଦାବି କରିଛନ୍ତି । କେବଳ ଏଭଳି ଗୋଟିଏ ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ଦାଖଲ ହୋଇଥିବା ଆବେଦନ ଆଇନ ଅନୁସାରେ ବିଚାରଯୋଗ୍ୟ ନୁହେଁ ବୋଲି କମିଶନ ଯୁକ୍ତି ଦର୍ଶାଇଛନ୍ତି । ତେବେ ଆବେଦନର ଗ୍ରହଣୀୟତା ଓ ଅନ୍ୟାନ୍ୟ ଆଇନଗତ ପ୍ରଶ୍ନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ସୁପ୍ରିମକୋର୍ଟ ନେବେ। ଫର୍ମ-୬ ବିବାଦରେ କମିଶନ ଆଉ ଏକ କଥା ସ୍ୱୀକାର କରିଛନ୍ତି । ଅନଲାଇନ୍ ରେ ଫର୍ମ-୬ ଓ SIR ଘୋଷଣାପତ୍ର ଏକାଠି ଦେଖାଯାଉଥିବାରୁ ଫର୍ମ-୬ରେ ପରିବର୍ତ୍ତନ ହୋଇଥିବା ଭଳି ଧାରଣା ସୃଷ୍ଟି ହୋଇପାରେ । ତେଣୁ ଅକ୍ଟୋବର ୨୧ରୁ ଅନଲାଇନ୍ ଆବେଦନରେ ଉଭୟକୁ ଅଲଗା ଭାବେ ରଖିବାକୁ ନିଷ୍ପତ୍ତି ନିଆଯଇଛି ।

Leave a Reply

Your email address will not be published. Required fields are marked *