ଓଡ଼ିଶା ଛୁଇଁଲା ମୌସୁମୀ, ନିଅଣ୍ଟିଆ ବର୍ଷା ନେଇ ଚିନ୍ତାରେ ଚାଷୀ
ଭୁବନେଶ୍ୱର : ଓଡ଼ିଶା ଛୁଇଁଲା ମୌସୁମୀ । ହେଲେ ନିଅଣ୍ଟିଆ! ବର୍ଷା ରେକର୍ଡ । ଚାଷୀଙ୍କ ମନରେ ବଢ଼ିଲା ଚିନ୍ତା । ଜୁନ୍ ୧୨ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ପ୍ରବେଶ କରିଛି । ଫଳରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଓ ହାଲୁକା ବର୍ଷା ଯୋଗୁଁ ପ୍ରଚଣ୍ଡ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ହେଲେ ଚିନ୍ତାର ବିଷୟ ହେଉଛି, ମୌସୁମୀ ଆସିଥିଲେ ମଧ୍ୟ ଚଳିତ ଜୁନ୍ ମାସରେ ସ୍ୱାଭାବିକଠାରୁ ବହୁତ କମ୍ ବର୍ଷା ରେକର୍ଡ କରାଯାଇଛି । IMDର ସୂଚନା ଅନୁଯାୟୀ, ଚଳିତ ବର୍ଷ ଜୁନ୍ ମାସ ପ୍ରାରମ୍ଭରୁ ଓଡ଼ିଶାରେ ବର୍ଷାର ପରିମାଣ ବହୁତ କମ୍ ରହିଛି ।
ଜୁନ୍ ୧ ରୁ ୧୦ ମଧ୍ୟରେ ସ୍ୱାଭାବିକ ବର୍ଷା ୩୬ ମିଲିମିଟର ହେବା କଥା । କିନ୍ତୁ ଏବେ ସୁଦ୍ଧା ୨୨.୪ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକଠାରୁ ୩୮% କମ୍ । ଜୁନ୍ ୪ରୁ ୧୦ ମଧ୍ୟରେ ସ୍ୱାଭାବିକ ୨୭.୮ ମିଲିମିଟର ବଦଳରେ ମାତ୍ର ୧୭.୯ ମିଲିମିଟର ବର୍ଷା ହୋଇଛି । ଯାହା ସ୍ବାଭାବିକଠାରୁ ୩୫% କମ୍ । ଜୁନ୍ ମାସର ମୋଟ ସ୍ୱାଭାବିକ ବର୍ଷା ପ୍ରାୟ ୨୦୯ ମିଲିମିଟର ହୋଇଥିବା ବେଳେ ଏବେ ସୁଦ୍ଧା ହୋଇଥିବା ବର୍ଷା ଏହାଠାରୁ ବହୁତ ପଛରେ ଅଛି। ଜୁନ୍ ମାସର ପ୍ରଥମ ସପ୍ତାହରେ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିଲା। ଜୁନ୍ ୪ ରେ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ ଏବଂ ଜୁନ୍ ୫ ରେ ଭୁବନେଶ୍ୱରରେ ୪୧.୧ ଡିଗ୍ରୀ ରେକର୍ଡ କରାଯାଇଥିଲା।
ଅଧିକାଂଶ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାରେ ପାରଦ ୩୮ ଡିଗ୍ରୀରୁ ୪୩ ଡିଗୀ ଭିତରେ ରହିଥିଲା । ରାଜଧାନୀ ଭୁବନେଶ୍ୱରରେ ଚଳିତ ମାସରେ ହାରାହାରି ତାପମାତ୍ରା ପ୍ରାୟ ୩୧.୮ ରୁ ୩୨.୪ ଡିଗ୍ରୀ ରହିଛି। ଯାହା ସ୍ୱାଭାବିକ ୩୦.୧ ଡିଗ୍ରୀ ସେଲସିୟସରୁ ପ୍ରାୟ ୧.୨ରୁ ୧.୫ ଡିଗ୍ରୀ ଅଧିକ । ମୌସୁମୀ ଆସିବା ପରେ ଏବେ ତାପମାତ୍ରା ସାମାନ୍ୟ କମି ୩୫ ଡିଗ୍ରୀ ରହୁଛି। ମୌସୁମୀ ସକ୍ରିୟ ହେବା ପରେ ଆଗାମୀ ଦିନରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଭଲ ବର୍ଷା ହେବାର ସମ୍ଭାବନା ଅଛି। ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରିଛି ।
ଏହା ସହ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଚଳିତ ବର୍ଷ ଏଲ୍ ନିନୋ ସ୍ଥିତି ଯୋଗୁଁ ଓଡ଼ିଶାରେ ସ୍ୱାଭାବିକଠାରୁ କମ୍ ମୌସୁମୀ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଜୁନ୍ ମାସର ଏହି ଶୁଖିଲା ପାଗ ଯୋଗୁଁ ଖରିଫ ଚାଷ ପାଇଁ ତଳି ପକାଇବା ଓ ବୁଣାବୁଣି କାମରେ ସାମାନ୍ୟ ବାଧା ସୃଷ୍ଟି ହୋଇଛି । ମାଟିରେ ଆଦ୍ରତା କମୁଥିବାରୁ ଚାଷୀକୁଳ ଏବେ ଚିନ୍ତାରେ ଅଛନ୍ତି ।
