୬ ମାସ ଲିଭ-ଇନରେ ରହିବା ପରେ ପ୍ରେମିକାକୁ ହତ୍ୟା କଲା ପ୍ରେମିକ
ବେଙ୍ଗାଲୁରୁ : କାଳ ସାଜିଲା ଇନଷ୍ଟାଗ୍ରାମ ପ୍ରେମ । ୬ ମାସର ଲିଭ-ଇନ-ରିଲେସନସିପ ଆଉ ତା’ପରେ ହତ୍ୟା । ଏମିତି ଘଟଣା ବେଙ୍ଗାଲୁରୁରେ ଘଟିଛି । ମଲ୍ଲେଶ୍ବରମ ଅଞ୍ଚଳରେ ୨୭ ବର୍ଷୀୟ ଯୁବକ ନିଜର ୨୦ ବର୍ଷୀୟ ଲିଭ-ଇନ ପାର୍ଟନରକୁ ହତ୍ୟା କରିଛି । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ।
ପୋଲିସ ଅନୁଯାୟୀ, ୨୭ ବର୍ଷୀୟ ଶରତଙ୍କ ପରିଚୟ ୨୦ ବର୍ଷୀୟ ଅନୁଷା ସହିତ ଇନଷ୍ଟାଗ୍ରାମରେ ହୋଇଥିଲେ । ଦୁହେଁ ହାସନ ଜିଲ୍ଲା ସକଲେଶପୁରର ବାସିନ୍ଦା । ଇନଷ୍ଟାଗ୍ରାମରେ ଦୁର୍ହିଙ୍କ ମଧ୍ୟରେ ବନ୍ଧୁତା ହେବା ପରେ ଗତ ୬ ମାସ ହେଲାଣି ଏକାଠି ଲିଭ-ଇନରେ ରହୁଥିଲେ । ଶନିବାର ରାତିରେ ଦୁହିଁଙ୍କ ମଧ୍ୟରେ କିଛି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ଏତେମାତ୍ରାରେ ବଢିଯାଇଥିଲା ଯେ, ଯୁବକଙ୍କ ଜଣକ ଯୁବତୀଙ୍କ ଗଳା କାଟିଦେଇଥିଲେ । ଫଳରେ ଯୁବତୀ ଅନୁଷାଙ୍କ ମୃତ୍ୟୁ ହୋଇଥିଲା ।
ଅଭିଯୁକ୍ତ ଶରତ ସହରରେ ଏକ ପାଣି ଟ୍ୟାଙ୍କର ଚଲାଇବା କାମ କରନ୍ତି । ଶରତ ଜଣେ ଓକିଲଙ୍କୁ ହତ୍ୟା ବିଷୟରେ କହିବା ପରେ ସତ ସାମ୍ନାକୁ ଆସିଥିଲା । ଏହାପରେ ଓକିଲ ଜଣକ ପୋଲିସକୁ ମାମଲା ବିଷୟରେ ଆଲର୍ଟ କରିଥିଲେ । ସୂଚନା ମିଳିବା ପରେ ଶେଷାଦ୍ରିପୁରମ ପୋଲିସ ଷ୍ଟେସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା ।
ପୋଲିସ ତୁରନ୍ତ ମାମଲା ଦାୟର କରି ତଲାସୀ ଅଭିଯାନ କରି ଅଭିଯୁକ୍ତ ଶରତକୁ ଗିରଫ କରିଥିଲା । ଆବଶ୍ୟକୀୟ ଆଇନ ପ୍ରକ୍ରିୟା ପୂରଣ କରିବା ପରେ ଅନୁଷାଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରରାଯାଇଛି । ଏହାପରେ ଅଭିଯୁକ୍ତ ଶରତକୁ ପଚରାଉଚରା କରିବା ପରେ ମାମଲାର ଯାଂଚ କରାଯାଉଛି ।
