ପିକ୍ଅପ୍-ଟ୍ରକ ମୁହାଁମୁହିଁ ଧକ୍କା, ୮ ମୃତ, ୧୫ ଗୁରୁତର
ପଞ୍ଜାବ : ପଞ୍ଜାବ ଫିରୋଜପୁର ଫାଜିଲ୍କା ରୋଡରେ ଟ୍ରକ ଏବଂ ପିକଅପ୍ ଧକ୍କା ହେବା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ତେଣୁ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ଖବର ମୁତାବକ, ଫିରୋଜପୁର ଫାଜିଲ୍କା ରୋଡରେ ଜଙ୍ଗାବାଲା ଗାଁ ନିକଟରେ ଏକ ଟ୍ରକ ଏବଂ ମହିନ୍ଦ୍ର ପିକଅପ୍ ଜିପ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା । ଦୁର୍ଘଟଣାରେ ଜିପରେ ଥିବା ୪ ଜଣଙ୍କର ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଅନ୍ୟ ୪ ଜଣଙ୍କ ଜୀବନ ଚାଲିଯାଇଛି । ତେବେ ଜିପରେ ମୋଟ୍ ୨୫ ଜଣ ରହିଥିଲେ ବୋଲି ଜଣାପଡିଛି । ଜିପରେ କ୍ଷମତା ଠାରୁ ଅଧିକ ଲୋକ ରହିଥିଲେ ।
ସମସ୍ତ ମୃତକ ସଂପର୍କୀୟ ବୋଲି ଜଣାପଡିଛି । ଦୁର୍ଘଟଣାର ଶିକାର ହୋଇଥିବା ଲୋକ ଜଲାଲାବାଦରୁ କୌଣସି ସଂପର୍କୀୟଙ୍କ ଘରକୁ ଯାଉଥିଲେ । ଆହତ ସମସ୍ତଙ୍କୁ ଫିରୋଜପୁର ସିଭିଲ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଗୁରୁତର ଆହତଙ୍କୁ ଗୁରୁ ଗୋବିନ୍ଦ ସିଂହ ମେଡିକାଲ କଲେଜକୁ ରେଫର କରାଯାଇଛି ।
