ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଦାବି
ଭୁବନେଶ୍ୱର: ଦିନକୁ ଦିନ ଆକାଶଛୁଆଁ ହେଉଥିବା ଇନ୍ଧନ ଦର ଏବଂ ବଢ଼ୁଥିବା ମୁଦ୍ରାସ୍ଫୀତି ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗିଦେଲାଣି। ଏହି ଜ୍ୱଳନ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ଡକ୍ଟର ସସ୍ମିତ ପାତ୍ର। ପେଟ୍ରୋଲ ଏବଂ ଡିଜେଲକୁ ତୁରନ୍ତ ଦ୍ରବ୍ୟ ଓ ସେବା କର (GST) ଢାଞ୍ଚା ଅଧୀନକୁ ଆଣିବା ପାଇଁ ସେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖି ଦାବି ଜଣାଇଛନ୍ତି। ଆଗାମୀ ଜିଏସଟି ପରିଷଦ ବୈଠକରେ ଏହି ଦୀର୍ଘ ଦିନର ପ୍ରଲମ୍ବିତ ପ୍ରସଙ୍ଗକୁ ଉପସ୍ଥାପନ କରିବାକୁ ସେ ଅନୁରୋଧ କରିଛନ୍ତି।
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ସସ୍ମିତ ପାତ୍ର ଦର୍ଶାଇଛନ୍ତି ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ପ୍ରସଙ୍ଗରେ ଏକ “ବ୍ୟାପକ ଆଲୋଚନା ଏବଂ ସହମତି” ସୃଷ୍ଟି କରାଯିବା ଆବଶ୍ୟକ। ଆଗାମୀ ଜିଏସଟି କାଉନସିଲ୍ ବୈଠକରେ ଏହାକୁ ଏକ ଔପଚାରିକ ଏଜେଣ୍ଡା ଭାବେ ଗ୍ରହଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।
