ମେ’ ୧୩ରୁ ୨୩ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ: ବାତ୍ୟାକୁ ନେଇ ବଢ଼ିଲା ଚିନ୍ତା
ଭୁବନେଶ୍ୱର: ଇତିହାସର ପୁନରାବୃତ୍ତି ହେବ କି? ମେ’ ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଭୟ ସତେଜ ହୋଇଉଠେ। ୩ ବର୍ଷର ବିରତି ପରେ ପୁଣି ଥରେ ବଙ୍ଗୋପସାଗରରେ ଏକ ବଡ଼ ଧରଣର ସାମୁଦ୍ରିକ ହଲଚଲ ହେବାର ସଙ୍କେତ ମିଳିଛି। ଆନ୍ତର୍ଜାତୀୟ ପାଣିପାଗ ମଡେଲ୍ ‘ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ’ (GFS)ର ଆକଳନ ଅନୁଯାୟୀ, ଚଳିତ ମାସ ମଧ୍ୟଭାଗରେ ସମୁଦ୍ରରେ ଏକ ସିଷ୍ଟମ ସକ୍ରିୟ ହୋଇପାରେ।
GFS ମଡେଲର ସୂଚନା ଅନୁଯାୟୀ, ମେ’ ୧୩ରୁ ୨୩ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା କ୍ରମଶଃ ଘନୀଭୂତ ହୋଇ ପ୍ରଥମେ ଲଘୁଚାପ ଏବଂ ପରେ ଅବପାତ ବା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି। ଯଦି ପରିସ୍ଥିତି ଅନୁକୂଳ ରହେ, ତେବେ ଏହା ବାତ୍ୟାରେ ମଧ୍ୟ ପରିଣତ ହୋଇପାରେ। ତେବେ ଏହାର ଗତିପଥ ବା ତୀବ୍ରତା କିଭଳି ରହିବ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ।
