ଗୁପ୍ତେଶ୍ୱରରେ ୧୨ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ: ପ୍ରଶାସନିକ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

Spread the love

ବୈପାରିଗୁଡା: ଜୁଲାଇ ୧୪ ତାରିଖ ଶ୍ରାବଣ ମାସର ପ୍ରଥମ ସୋମବାରରେ ବୋଲବମ ଧ୍ୱନିରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠ ପ୍ରକମ୍ପିତ ହୋଇଛି। ମହାଦେବଙ୍କୁ ଜଳାଭିଷେକ ନିମନ୍ତେ ଶୈବପୀଠରେ ବଡ଼ି ଭୋରରୁ ଭିଡ଼ ଦେଖିବାକୁ ମିଳିଥିଲା । ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୧୨ଟାରେ ମନ୍ଦିର ଖୋଲାଯାଇଥିଲା। ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ସାହାଣମେଲା ଦର୍ଶନ ପରେ ଧାଡି ବାନ୍ଧି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରି ଜଳାଭିଷେକ କରିଥିଲେ।
ଶ୍ରାବଣରେ ମନସ୍କାମନା ପୂରଣ ପାଇଁ ମହାଦେବଙ୍କୁ ଜଳଲାଗି କରିବାକୁ ଦୂର ଦୂରାନ୍ତରୁ ଶୈବପୀଠକୁ ପାଣି ଆଣି ଆସିଥିଲେ। ଗୁପ୍ତେଶ୍ୱର ଲିଙ୍ଗ ନିକଟରେ ଜଳ ଲାଗି ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ମନ୍ଦିର ପାଦ ଦେଶରୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଧାଡିରେ ଆସି ଶ୍ରଦ୍ଧାଳୁ ଜଳଲାଗି କରିଛନ୍ତି।
ଚଳିତ ବର୍ଷ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପୀଠରେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କିନ୍ତୁ ପୀଠରେ ଗାଡି ପାର୍କିଂ ନିମନ୍ତେ କୌଣସି ସୁବିଧା ନଥିବାରୁ ସମସ୍ତ ପ୍ରକାର ଗାଡ଼ି ମଟର ରାସ୍ତା ଉପରେ ରଖିବାକୁ ବାଧ୍ୟ ହେଇଥିଲେ।
ଆଗାମୀ ସୋମବାର ଦିନ ପୀଠରେ ଟ୍ରାଫିକ ସମସ୍ୟା ଉପୁଜିବା ଆଶଙ୍କା ରହିଛି। ପୀଠରେ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ତଥା ଟେଣ୍ଟ ବ୍ୟବସ୍ଥା କରାଯଇଥିଲା କିନ୍ତୁ ମହିଳାଙ୍କ ବିଶ୍ରାମ ପାଇଁ କୌଣସି ସୁବିଧା କରାଯାଇ ନଥିଲା। ଯାହା ଦ୍ୱାରା ମହିଳା ବୋଲବମ ଶ୍ରଦ୍ଧାଳୁଙ୍କୁ ହଇରାଣ ହେବାକୁ ପଡିଥିଲା।
ନଦୀ ତୁଠରେ ଆବଶ୍ୟକ ଶୌଚାଳୟ ନଥିବାରୁ ଶ୍ରଦ୍ଧାଳୁ ହନ୍ତସନ୍ତ ହୋଇଛନ୍ତି। ଚଳିତ ବର୍ଷ ପୀଠରେ ଦର୍ଶନ ଟିକଟ ବନ୍ଦ କରାଯାଇଛି। ଟିକଟ ବ୍ୟବସ୍ଥା ବନ୍ଦ ପରେ ଦେବୋତ୍ତର ବିଭାଗର ପରିଚାଳନା ବ୍ୟବସ୍ଥାକୁ ଅଣଦେଖା କରାଯାଉଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏସବୁ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ସମିତି ସଭ୍ୟ ବିଭିଷଣ ହନ୍ତାଳ ଏବଂ ପୁର୍ବତନ ବ୍ଲକ ଅଧକ୍ଷ ନରେନ୍ଦ୍ର କାନ୍ଦଲିଆ ଦାବୀ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆଗକୁ ଏଭଳି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା ନିହାତି ଜରୁରୀ ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *