Monsoon 1

୨୭ରେ ଲଘୁଚାପ ! ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ

Spread the love

ଭୁବନେଶ୍ବର : ଆସୁଛି ଲଘୁଚାପ ! ମେ’ ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାଶ୍ୱବର୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଦୁଇ ଦିନ ଏହା ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ସମ୍ଭାବ୍ୟ ଲଘୁଚାପ ପ୍ରଭାରରେ ୨୬ ତାରିଖରୁ ବର୍ଷା ଆରମ୍ଭ ହୋଇପାରେ।
ଅନ୍ୟପକ୍ଷରେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ପାଣିପାଗ ବିଭାଗ କହିଛି। ଫଳରେ ଏଥର ଶୀଘ୍ର ମୌସୁମୀ ଆସିବା ଆକଳନ ସତ ହେବ। ପୂର୍ବରୁ ଆଇଏମ୍‌ଡିଡି ମେ’ ୨୭ ତାରିଖରେ ମୌସୁମୀ ବାୟୁ କେରଳ ଭୂଖଣ୍ଡ ଛୁଇଁବ ନେଇ ଆକଳନ କରିଥିଲା। ଏବେ ପାଣିପାଗ ଅନୁକୂଳ ପରେ ଆସନ୍ତା ୩ ଦିନ ମଧ୍ୟରେ ମୌସୁମୀ ବାୟୁ କେରଳରେ ପ୍ରବେଶ କରିପାରେ। ଏହା ପରେ ମୌସୁମୀ ବାୟୁ ସକ୍ରିୟ ରହିଲେ ଓଡ଼ିଶା ଆଗମନ ବାଟ ଫିଟିବ। ସାଧାରଣତଃ ଜୁନ ଦ୍ଵିତୀୟ ସପ୍ତାହରେ ଓଡ଼ିଶାରେ ପ୍ରବେଶ କରିଥାଏ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ହେଲେ ଏଥର ଏହା କେରଳକୁ ସଅଳ ଆସିଲେ ଓଡ଼ିଶା ବି ଶୀଘ୍ର ଆସିପାରେ ବୋଲି ଆକଳନ କରାଯାଉଛି।
ଆସନ୍ତା ୭ ଦିନ ଯାଏ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ। ବିଜୁଳି, ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ସହ ଝଡ଼ି ପବନ ମଧ୍ୟ ବହିପାରେ। ଆଗାମୀ ୨୪ ଘଣ୍ଟାରେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାକୁ ବାଦ ଦେଲେ ଅନ୍ୟ ୨୬ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହିସବୁ ଜିଲ୍ଲାରେ ୪୦ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୨୪ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ମାଲକାନଗିରି, କୋରାପୁଟ,ରାୟଗଡ଼ା, ଗଂଜାମ, ଗଜପତି, କନ୍ଧମାଳ କଳାହାଣ୍ଡି, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଆଦି ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ମୟୁରଭଞ୍ଜ ତିରିଙ୍ଗରେ ସର୍ବାଧିକ ୬୮.୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ସର୍ବାଧିକ ତାପମାତ୍ରା ସମ୍ବଲପୁରରେ ୪୧.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।

Leave a Reply

Your email address will not be published. Required fields are marked *