ରାଜ୍ୟରେ ଆଉ ୩ ଦିନ ବର୍ଷା ! ୧୪ ଜିଲ୍ଲାରେ ବଜ୍ରପାତ ଆଶଙ୍କା
ଭୁବନେଶ୍ବର: ରାଜ୍ୟରେ ଆଉ ତିନି ଦିନ ବର୍ଷା । ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ । ଦକ୍ଷିଣ ଓଡ଼ିଶାକୁ ମଧ୍ୟ ଆହୁରି ବର୍ଷା ଅଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ମଧ୍ୟ ସେହି ଅଞ୍ଚଳରେ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ସଂଲଗ୍ନ ଅଞ୍ଚଳରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ଦୁଇ ଦିନରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ଉପକୂଳ ଆଡ଼କୁ ଅଗ୍ରସର ହୋଇପାରେ । ଆକଳନ କରିଛି ଆଇଏମଡି ।
ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ସମ୍ଭାବନା ରହିଛି। ନଭେମ୍ବର ୨ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।
ଆସନ୍ତାକାଲି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଏବଂ ଝଟକା ପବନ ହୋଇପାରେ । ସେହିପରି ନଭେମ୍ବର ୧ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲା ସମେତ ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି । ୨୬ଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ୪ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଛି । ବାଲେଶ୍ବରରେ ଗତ ସର୍ବାଧିକ ୧୮୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
