ଚାଷୀଙ୍କ ଖାତାକୁ ଆସିଲା ପିଏମ୍ କିଷାନର ୨୪ତମ କିସ୍ତି
ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଖୁସି ଖବର। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି। ଶୁକ୍ରବାର ଗୁଜରାଟର ବନାସକାଣ୍ଠାରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କିସ୍ତି ଜାରି କରିଛନ୍ତି। ଏହା ଅଧୀନରେ ଦେଶର ଯୋଗ୍ୟ ଚାଷୀଙ୍କ ଖାତାକୁ ପ୍ରାୟ ୧୯ ହଜାର କୋଟି ଟଙ୍କା ପଠାଯାଇଛି। ଏହି ଅବସରରେ ମୋଦୀ କହିଛନ୍ତି, ଚାଷୀ ହେଉଛନ୍ତି ଦେଶର ମଜବୁତ ଭିତ୍ତିଭୂମି ଏବଂ ବିକାଶର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଚାଷୀଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଓ ସେମାନଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବା ଲାଗି ସରକାର କାମ କରୁଛନ୍ତି ବୋଲି ସେ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଏକ ନିଆରା ବ୍ୟବସ୍ଥା ଦେଖିବାକୁ ମିଳିଥିଲା। ସଭାରେ ଯୋଗ ଦେଇଥିବା ସମସ୍ତ ଲୋକ ଚେୟାର ବଦଳରେ ଖଟିଆରେ ବସିଥିଲେ। ଏହାକୁ ନେଇ ମୋଦୀ ବନାସକାଣ୍ଠାର ପ୍ରଶଂସା କରିଥିଲେ। ସେ କହିଥିଲେ, ଗାଁର ପୁରୁଣା ପରମ୍ପରାକୁ ଏଠାରେ ପୁଣି ଜୀବନ୍ତ କରାଯାଇଛି। ଏହି ଆୟୋଜନ ବିଷୟରେ ଯଦି ଗିନିଜ୍ ୱାର୍ଲ୍ଡ ରେକର୍ଡସକୁ ଜଣାଯାଆନ୍ତା, ତେବେ ହୁଏତ ଏହା ବିଶ୍ୱ ରେକର୍ଡ ହୋଇପାରିଥାନ୍ତା ବୋଲି ସେ ମଜାଳିଆ ଢଙ୍ଗରେ କହିଥିଲେ।
ଦୁଇ ଦିନିଆ ଗୁଜରାଟ ଗସ୍ତରେ ମୋଦୀ ରାଜ୍ୟକୁ ପ୍ରାୟ ୧୪ ହଜାର କୋଟି ଟଙ୍କାର ବିକାଶ ପ୍ରକଳ୍ପ ଭେଟି ଦେଇଛନ୍ତି। ଏଥିରେ ଅନେକ ପ୍ରକଳ୍ପର ଉଦ୍ଘାଟନ ସହ ନୂଆ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ ରହିଛି। ସଡ଼କ, କୃଷି ଓ ଅନ୍ୟାନ୍ୟ ମୌଳିକ ସୁବିଧାର ବିକାଶ ଏହି ପ୍ରକଳ୍ପଗୁଡ଼ିକର ମୁଖ୍ୟ ଲକ୍ଷ୍ୟ। ଏହାଦ୍ୱାରା ଯୋଗାଯୋଗ ବ୍ୟବସ୍ଥା ଓ ଆର୍ଥିକ କାର୍ଯ୍ୟକଳାପକୁ ଅଧିକ ଗତି ମିଳିବ ବୋଲି ସରକାର ଆଶା ରଖିଛନ୍ତି।
ଗୁଜରାଟର ରେଳ ଯୋଗାଯୋଗକୁ ମଜବୁତ କରିବା ପାଇଁ ମୋଦୀ ଦୁଇଟି ନୂଆ ଟ୍ରେନ୍ ସେବାର ଶୁଭାରମ୍ଭ କରିଛନ୍ତି। ପ୍ରଥମଟି ହେଉଛି ଅହମଦାବାଦର ସାବରମତୀରୁ ବାରାଣସୀ ମଧ୍ୟରେ ଚାଲିବାକୁ ଥିବା ଏକ୍ସପ୍ରେସ୍ ଟ୍ରେନ୍। ଦ୍ୱିତୀୟଟି ହେଉଛି ମେହସାଣା-ବେଚରାଜୀ-ସାବରମତୀ ମଧ୍ୟରେ ଚାଲିବାକୁ ଥିବା ମେମୁ ଟ୍ରେନ୍। ଏହି ଦୁଇ ଟ୍ରେନ୍ ଦ୍ୱାରା ଯାତ୍ରୀଙ୍କ ଯାତାୟାତ ସୁବିଧାଜନକ ହେବା ସହ ଅଞ୍ଚଳଗୁଡ଼ିକ ମଧ୍ୟରେ ରେଳ ସଂଯୋଗ ବଢ଼ିବ।
ଏହି ଗସ୍ତରେ ମୋଦୀ ବନାସ ଡେୟରୀର ଅନେକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେଥିମଧ୍ୟରୁ ବନାସକାଣ୍ଠା ଜିଲ୍ଲାର ଭିଲଡ଼ିଠାରେ ନିର୍ମିତ ‘ଭାରତ ବୋଭାଇନ୍ ବ୍ରିଡିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ ଅନ୍ୟତମ। ୧୨୭ ଏକର ଜମିରେ ନିର୍ମିତ ଏହି କେନ୍ଦ୍ର ପାଇଁ ପ୍ରାୟ ୩୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି କେନ୍ଦ୍ରରେ ପଶୁଙ୍କ ପ୍ରଜାତିର ଉନ୍ନତି, ଉନ୍ନତ ପଶୁପାଳନ ପଦ୍ଧତି ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଗବେଷଣାକୁ ମଜବୁତ କରାଯିବ। ଏହାସହ ପାଳନପୁରସ୍ଥିତ ବନାସ ଡେୟରୀର ଅଲ୍ଟ୍ରା ହାଇ ଟେମ୍ପରେଚର୍ (UHT) ପ୍ଲାଣ୍ଟରେ ଏକ ସ୍ୱୟଂଚାଳିତ ଷ୍ଟୋରେଜ୍ ବ୍ୟବସ୍ଥାର ମଧ୍ୟ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ।
