ଓଡ଼ିଶାର ୩୫ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ଗଲା ‘ପିଏମ୍ କିଷାନ’ କିସ୍ତି ରାଶି
ଭୁବନେଶ୍ୱର: ଦେଶର କୃଷକ ସମାଜକୁ ଆର୍ଥିକ ଭାବେ ଅଧିକ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ଦିଗରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି’‘ପିଏମ୍ କିଷାନ’ ଯୋଜନାର ୨୪ତମ କିସ୍ତି ସହାୟତା ରାଶି ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ବନାସକାଣ୍ଠା ଠାରେ ଅନୁଷ୍ଠିତ ଜାତୀୟ ସମାରୋହରୁ ଆଭାସୀ ମାଧ୍ୟମରେ ଏହି ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସାରା ଦେଶରେ ୯.୩୪ କୋଟିରୁ ଅଧିକ ଚାଷୀଙ୍କୁ ୧୮,୬୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର କୃଷକମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ସିଧାସଳଖ କଥା ମଧ୍ୟ ହୋଇଥିଲେ, ଯାହାକି କୃଷକ ମହଲରେ ବେଶ୍ ଉତ୍ସାହ ସୃଷ୍ଟି କରିଥିଲା। ଏହି ଜାତୀୟ କାର୍ୟ୍ୟକ୍ରମ ଅବସରରେ ଓଡ଼ିଶାର ୩୫ ଲକ୍ଷ ୩୮ ହଜାରରୁ ଉର୍ଦ୍ଧ୍ୱ ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଜମାଖାତାକୁ ଡିବିଟି ଜରିଆରେ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଭାବରେ ସମୁଦାୟ ୭୦୭.୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଆନୁକୂଲ୍ୟରେ ଏହି କାର୍ୟ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଏବଂ ମଣ୍ଡି ସ୍ତରରେ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି।
ଆମ ପାଇଁ କୃଷକ ସମାଜ କେବଳ ଚାଷୀ ନୁହନ୍ତି, ସେମାନେ ଆମ ଅନ୍ନଦାତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର କୌଣସି ଜଣେ ବି ଯୋଗ୍ୟ କୃଷକ ଯେପରି ଏହି ଯୋଜନାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଆମ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଚାଷୀ ଭାଇମାନେ ସେମାନଙ୍କର ନିକଟସ୍ଥ ରାଜସ୍ୱ କାର୍ୟ୍ୟାଳୟ କିମ୍ବା କୃଷି କାର୍ୟ୍ୟାଳୟକୁ ଯାଇ ଆଗ୍ରିଷ୍ଟାକ୍ ପୋର୍ଟାଲରେ ତୁରନ୍ତ ପଞ୍ଜିକରଣ କରାଇନେବାକୁ ସେ ଅନୁରୋଧ କରିଥିଲେ। କୃଷକମାନଙ୍କ ଉନ୍ନତି ଓ ଆର୍ଥିକ ବିକାଶ ହିଁ ଓଡ଼ିଶାର ସାମଗ୍ରୀକ ବିକାଶକୁ ଆଗକୁ ନେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ଯୋଜନା ସହିତ ତାଳ ଦେଇ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସିଏମ୍ କିଷାନ ଯୋଜନା କାର୍ୟ୍ୟକ୍ରମ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୪ ହଜାର ଟଙ୍କା ଏବଂ ଭୂମିହୀନ କୃଷି ପରିବାରକୁ ଜୀବନଜୀବିକା ସହାୟତା ବାବଦରେ ୧୨,୫୦୦ ଟଙ୍କା ପ୍ରଦାନ କରାଯାଉଛି। ଏଥିରେ ସହରାଞ୍ଚଳର ଚାଷୀ ଏବଂ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀର ଚାଷୀମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ରାଜ୍ୟ ସରକାରଙ୍କ ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯାଉଥିବାବେଳେ ଚଳିତ ବର୍ଷ ଲକ୍ଷାଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ଏହାଦ୍ୱାରା ଅନ୍ନଦାତାମାନଙ୍କ ମୁହଁରେ ଆନନ୍ଦର ଲହରି ଖେଳିଯାଇଛି।
ଲଗାଣ ବର୍ଷା, ବନ୍ୟା ଏବଂ ସାମ୍ପ୍ରତିକ ବାତ୍ୟା ପରବର୍ତ୍ତୀ ବର୍ଷା ଯୋଗୁଁ ରାଜ୍ୟର କେତେକ ଜିଲ୍ଲାରେ ଫସଲ ନଷ୍ଟ ହୋଇଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଦୃଢ଼ ଆଶ୍ୱାସନା ଦେଇ କହିଛନ୍ତି , ଯେତେ ବିପତ୍ତି ଆସୁ ନ କାହିଁକି, ଆପଣଙ୍କ ସରକାର ସର୍ବଦା ଆପଣଙ୍କ ଦୁଃଖସୁଖରେ ସାଥୀ ହୋଇ ଠିଆ ହୋଇଛନ୍ତି। କ୍ଷତିଗ୍ରସ୍ତ ଫସଲର ଆକଳନ କରାଯାଇ ନିୟମାନୁଯାୟୀ ଚାଷୀମାନଙ୍କୁ ଯଥାଶୀଘ୍ର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି କାର୍ୟ୍ୟକ୍ରମକୁ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଏବଂ ରାଜ୍ୟର ଅନ୍ୟାନ୍ୟ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ରହି ସିଧାପ୍ରସାରଣ ଦେଖିଥିଲେ।
