ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ଓ କ୍ଷୟକ୍ଷତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ଓ ବର୍ଷା ପରବର୍ତ୍ତୀ ବନ୍ୟା ସ୍ଥିତିର ଆକାଶମାର୍ଗରୁ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଷୀମାନେ ପ୍ରଭାବିତ ହୋଇଛନ୍ତି । ଫସଲ କ୍ଷତି ହୋଇଛି । ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତି କରିଥିଲୁ। ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ସ୍ଥିତି ଆଲୋଚନା ହୋଇଛି। ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବିଶେଷକରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଏବଂ ଅନ୍ୟାନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳର ବନ୍ୟା ସ୍ଥିତି ଓ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ବାତ୍ୟା ପ୍ରଭାବରେ ମାଲକାନଗିରିରେ ଅଧିକ କ୍ଷତି ହେବ ବୋଲି ଭାବିଥିଲୁ । ହେଲେ ବାତ୍ୟା ପ୍ରଭାବରେ ବର୍ଷା ଓ ବନ୍ୟା ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ କ୍ଷତି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଶ୍ୟକୀୟ ସ୍ଥଳରେ ହେଲିକ୍ୟାପ୍ଟରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ମୋହନ ମାଝୀ । ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ବଣ୍ଟନକୁ ସର୍ବାଧିକ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସହିପରି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ସଜାଗ ରହିବେ ସେନା ଓ ଓଡ୍ରାଫ୍ ଟିମ୍।
ରାଜ୍ୟର ୧୭ଟି ବ୍ଲକ୍ରେ ୧୦୫ ମିଲିମିଟରରୁ ଅଧିକ ବର୍ଷା ହୋଇଥିବାବେଳେ କୋରାପୁଟର ପଟାଙ୍ଗୀରେ ସର୍ବାଧିକ ୧୮୮ ମିଲିମିଟର ଏବଂ ଗଜପତିର ମୋହନାରେ ୧୮୨.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି।
