09bbs 69 09092026 112 2026 09 09 20 25 56

ନୂଆ ଜାତିସଂଘ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନ୍‌କୁ ନେଇ ଅସଙ୍ଗତି ଉପରେ ଭାରତର ଆପତ୍ତି

Spread the love

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନ୍‌କୁ ନେଇ ଜାତିସଂଘର ନୂଆ ବିଶ୍ୱ ମାନଚିତ୍ରରେ ଦେଖାଯାଇଥିବା ଅସଙ୍ଗତି ଉପରେ ଭାରତ ଆପତ୍ତି ଜଣାଇଛି। ନୂଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚିନ୍‌କୁ ଭାରତ ଓ ଚୀନ୍‌ର ନିଜ ନିଜ ଦାବି କରୁଥିବା ସୀମାରେଖା ମଧ୍ୟରେ ପୃଥକ୍ ଅଞ୍ଚଳ ଭାବେ ଦର୍ଶାଯାଇଛି। ଏହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଆପତ୍ତି ଉଠାଇଥିବା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ୍‌ ମଙ୍ଗଳବାର କହିଛନ୍ତି।

ଜାତିସଂଘ ପକ୍ଷରୁ ଜୁଲାଇ ୧ରେ ପ୍ରକାଶିତ ଏହି ମାନଚିତ୍ରରେ ଅରୁଣାଚଳ ପ୍ରଦେଶକୁ ଏକ ସ୍ୱତନ୍ତ୍ର ଅଞ୍ଚଳ ଭଳି ଦର୍ଶାଯାଇଛି। ଏଥିରେ ଅରୁଣାଚଳର ନାଗାଲାଣ୍ଡ ସହ ଥିବା ସୀମା ଦେଖାଯାଇନାହିଁ। ଏହାର ଗୋଟିଏ ପାର୍ଶ୍ୱରେ ଆସାମ ଓ ଅନ୍ୟ ପାର୍ଶ୍ୱରେ ଚୀନ୍‌ ଦେଖାଯାଇଛି। ଅକ୍ସାଇ ଚୀନ୍‌କୁ ମଧ୍ୟ ଭାରତ ଓ ଚୀନ୍‌ ମଧ୍ୟରେ ଏକ ପୃଥକ୍ ଅଞ୍ଚଳ ଭାବେ ଦର୍ଶାଯାଇଛି। ମାନଚିତ୍ରରେ ଏଭଳି ଚିତ୍ରଣ କରାଯିବାର କାରଣ ସମ୍ପର୍କରେ ଜାତିସଂଘ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ଭାରତର ଆଧିକାରିକ ମତ ଅନୁସାରେ ଅରୁଣାଚଳ ପ୍ରଦେଶ ଦେଶର ଅବିଚ୍ଛେଦ୍ୟ ଅଂଶ। ସେହିପରି ଅକ୍ସାଇ ଚୀନ୍‌ ସମେତ ସମଗ୍ର ଜମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅଖଣ୍ଡ ଅଂଶ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଆସିଛି। ଭାରତର ସାର୍ବଭୌମତ୍ୱ ଓ ଭୂଖଣ୍ଡୀୟ ଅଖଣ୍ଡତା ସମ୍ପର୍କରେ ଦେଶର ଆଭିମୁଖ୍ୟ ସ୍ପଷ୍ଟ ଓ ଅପରିବର୍ତ୍ତନୀୟ ବୋଲି ଜୟସ୍ୱାଲ୍‌ କହିଛନ୍ତି।

ଏହି ମାନଚିତ୍ରରେ ଜମ୍ମୁ-କାଶ୍ମୀରରେ ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣରେଖାକୁ ଡଟେଡ୍‌ ଲାଇନ୍‌ରେ ଦର୍ଶାଯାଇଛି। ତଳ ଟିପ୍ପଣୀରେ ଏହାକୁ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ମତି ହୋଇଥିବା ନିୟନ୍ତ୍ରଣ ରେଖାର ଆନୁମାନିକ ଚିତ୍ର ବୋଲି କୁହାଯାଇଛି। ତେବେ ଜମ୍ମୁ-କାଶ୍ମୀରର ଚୂଡ଼ାନ୍ତ ସ୍ଥିତି ନେଇ ଉଭୟ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ସହମତି ହୋଇନଥିବା ମଧ୍ୟ ଉଲ୍ଲେଖ ଅଛି।

Leave a Reply

Your email address will not be published. Required fields are marked *