କେନ୍ଦୁଝରରେ ବରିଷ୍ଠ ସାମ୍ବାଦିକ ପେନ୍ସନ୍ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର
କେନ୍ଦୁଝର: ଓଡ଼ିଶାରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକମାନଙ୍କ ସୁରକ୍ଷା ଏବଂ ପେନ୍ସନ୍ ଯୋଜନାକୁ ନେଇ କେନ୍ଦୁଝର ସ୍ଥିତ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଗତ ଜୁନ୍ ୨୩ ତାରିଖରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସାମ୍ବାଦିକଙ୍କ ସପକ୍ଷରେ ଦେଇଥିବା ରାୟର ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଥିଲା।
ସିଡବ୍ଲ୍ୟୁପିସି (CWPC) ନମ୍ବର ୧୧୮୯/୨୦୨୨ ମାମଲାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ‘ସିନିୟର ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଓଡ଼ିଶା’ ସପକ୍ଷରେ ରାୟ ଦେଇଛନ୍ତି। ଏହି ରାୟ ଅନୁଯାୟୀ, ରାଜ୍ୟରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକମାନଙ୍କ ପାଇଁ ଆସନ୍ତା ତିନି ମାସ ମଧ୍ୟରେ ପେନ୍ସନ୍ ଯୋଜନା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ସଂଗଠନର ବହୁ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଉପସ୍ଥିତ ଥିବା ପ୍ରମୁଖ ବ୍ୟକ୍ତିବିଶେଷମାନେ ହେଲେ:କାହ୍ନୁଚରଣ ନନ୍ଦ (ରାଜ୍ୟ ସଭାପତି), ପ୍ରଦୀପ୍ତ କିଶୋର ଚୌଧୁରୀ (ଉପସଭାପତି), ଆଶୁତୋଷ ବେହେରା (ସାଧାରଣ ସମ୍ପାଦକ), ବିପ୍ଳବ କୁମାର ମହାନ୍ତି (ସଂଗଠନ ସମ୍ପାଦକ), ବରିଷ୍ଠ ସାମ୍ବାଦିକା ତଥା କର୍ତ୍ତବ୍ୟର ସଂପାଦିକା ଦିପ୍ତିମୟୀ କର |

ବହୁ ଦିନରୁ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଗଠନ ଏହି ଦାବି ନେଇ ପ୍ରଚେଷ୍ଟା ଜାରି ରଖିଥିଲେ। ତେବେ ବର୍ତ୍ତମାନ ମିଳିଥିବା ଏହି ଐତିହାସିକ ସଫଳତାକୁ ସଂଗଠନ ପକ୍ଷରୁ ସମଗ୍ର ରାଜ୍ୟର ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି ବୋଲି ନେତୃବୃନ୍ଦ ପ୍ରକାଶ କରିଥିଲେ।
ଅଂଶଗ୍ରହଣ ଏବଂ ପରିଚାଳନା: ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଯଥା- ଚମ୍ପୁଆ, ଆନନ୍ଦପୁର, ଯୋଡ଼ା, ବଡ଼ବିଲ୍ ଏବଂ କେନ୍ଦୁଝର ସଦର ମହକୁମାରୁ ବହୁ ସଂଖ୍ୟାରେ ସାମ୍ବାଦିକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ନିଜ ନିଜର ମତ ଉପସ୍ଥାପନ କରିଥିଲେ।
ଆବାହକ ରାଜେନ୍ଦ୍ର ସାହୁ ଏହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ, ଶେଷରେ ସାମ୍ବାଦିକ ବୁଲ୍ବୁଲ୍ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
