ନିଜ ବିଭାଗରୁ ସବ୍ସିଡି ନେଇ ବିବାଦରେ କେନ୍ଦ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ
ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ ନିଜ ବିଭାଗରୁ ବିଭିନ୍ନ ଯୋଜନା ବାବଦକୁ ୯୯ ଲକ୍ଷ ୬୦ ହଜାର ଟଙ୍କା ନେଇଥିବା ଜଣାପଡ଼ିବା ପରେ ବିବାଦ ସୃଷ୍ଟି ହୋଇଛି।ସୂଚନାନୁଯାୟୀ ବାଣିଜ୍ୟିକ କୃଷିର ବିକାଶ ପାଇଁ ଫାର୍ମ କରିଥିବା ବ୍ୟକ୍ତିବିଶେଷଙ୍କୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ତରଫରୁ ସବ୍ସିଡି ପ୍ରଦାନ କରାଯାଉଛି। କେନ୍ଦ୍ର କୃଷି ମନ୍ତ୍ରୀ ଭାଗୀରଥ ଚୌଧୁରୀ ଏହି ସବ୍ସିଡି ବାବଦକୁ ୯୯ ଲକ୍ଷ ୬୦ ହଜାର ଟଙ୍କା ନେଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତାହାକୁ ନେଇ ବିିଭିନ୍ନ ମହଲରେ ମନ୍ତ୍ରୀଙ୍କୁ ସମାଲୋଚନା କରାଯାଇଥିଲା। ସବ୍ସିଡି ପ୍ରଦାନ ପାଇଁ ଯେଉଁ ବୋର୍ଡର ସ୍ବୀକୃତି ଆବଶ୍ୟକ ମନ୍ତ୍ରୀ ଭାଗୀରଥ ସେହି ବୋର୍ଡର ଏକ୍ସ-ଅଫିସୋ ଉପସଭାପତି ଥିବା ଜଣାପଡ଼ିଛି। ଆଜମେର ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ଭାଗୀରଥ ୨୦୨୪ ଜୁନ୍ରେ କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। କେନ୍ଦ୍ର ମନ୍ତ୍ରୀ ନିଜ ବିଭାଗରୁ ସବ୍ସିଡି ନେବା ଘଟଣାକୁ ନେଇ କଂଗ୍ରେସ ନେତା ପବନ ଖେରା କହିଛନ୍ତି ଦେଶର ଅଧିକାଂଶ କୃଷକଙ୍କୁ ସବ୍ସିଡି ପ୍ରଦାନରେ ଟାଳଟୁଳ ନୀତି ଗ୍ରହଣ କରାଯାଉଥିବା ବେଳେ ଭାଗୀରଥ ନିଜ ବିଭାଗରୁ ସବ୍ସିଡି ନେବା ଘଟଣା ଏହି ବିଭାଗର ସ୍ବଚ୍ଛତାକୁ ପଦାରେ ପକାଇଛି। ମନ୍ତ୍ରୀ ସରକାରୀ ଅର୍ଥ ଚଳୁ କରିଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଏହି ଘଟଣାକୁ ନେଇ ବିଜେପିକୁ ସମାଲୋଚନା କରିବା ସହ ଦୁର୍ନୀତି କରିବାର ଏହା ନୂତନ ପନ୍ଥା ବୋଲି ଦର୍ଶାଇଛନ୍ତି।
ବିବାଦ ବଢ଼ୁଥିବା ଦେଖି ମନ୍ତ୍ରୀ ଭାଗୀରଥ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ସେ ଅଳ୍ପ ବୟସରୁ କୃଷି କାର୍ଯ୍ୟ କରି ଆସୁଛନ୍ତି। ତାଙ୍କର ଚାଷ ଜମି ରହିଛି ଏବଂ ସେଠାରେ ସେ ଅଞ୍ଚଳର ଅନ୍ୟ ଚାଷୀଙ୍କୁ ନୂତନ ଜ୍ଞାନକୌଶଳ ବ୍ୟବହାର କରି ଚାଷ କରିବା ପଦ୍ଧତି ଶିଖାଉଛନ୍ତି। ସ୍ଥାନୀୟ କୃଷି ଅଧିକାରୀ ଏକାଧିକ ବାର ତାଙ୍କ ଚାଷ ଜମିକୁ ପରିଦର୍ଶନରେ ଯାଇ ସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ସରକାରୀ ସବ୍ସିଡି ସେ ନେବାରେ କୌଣସି ଅସୁବିଧା ନାହିଁ। ଅନ୍ୟପକ୍ଷରେ ରାଜସ୍ଥାନର ଜଣେ ଆଇଏଏସ୍ ଅଧିକାରୀ ଏବଂ ତାଙ୍କ ପରିବାର ସଦସ୍ୟ କୃଷି ସବ୍ସିଡି ବାବଦକୁ ଗତ ୫ ବର୍ଷରେ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ନେଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।
