Ada e1781453754289 300x205

କୋର୍ଟଙ୍କ ଆଦେଶ ପାଳନରେ ପୁଲିସର ଅବହେଳା

Spread the love

କଟକ:ନ୍ୟାୟାଳୟଙ୍କ ଆଦେଶ ଓ ଗିରଫ ପରୱାନା କାର୍ଯ୍ୟକାରୀ କରିବାରେ ରାଜ୍ୟର ବିଭିନ୍ନ ଥାନା ପୁଲିସର ଅବହେଳାକୁ ନେଇ ଓଡ଼ିଶା ହାଇକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରି ଅବହେଳା ଯୋଗୁଁ ନିମ୍ନ ଅଦାଲତରେ ମାମଲାଗୁଡ଼ିକ ଅନାବଶ୍ୟକ ଭାବେ ବିଳମ୍ବିତ ହେଉଥିବା ବେଳେ ପୀଡ଼ିତମାନେ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେଉଛନ୍ତି। ଏହି ପ୍ରସଙ୍ଗରେ ହାଇକୋର୍ଟ ଡିଜିପିଙ୍କୁ ସମସ୍ତ ଏସପି ଓ ପୁଲିସ କମିସନରଙ୍କ ମାଧ୍ୟମରେ ଥାନା ଆଇଆଇସିମାନଙ୍କୁ ମାଜିଷ୍ଟ୍ରେଟ ଓ ଅନ୍ୟ ନ୍ୟାୟିକ ଅଧିକାରୀଙ୍କ ଆଦେଶ ପାଳନ କରିବାକୁ ନିର୍ଦେଶ ଦେବା ଲାଗି କହିଛନ୍ତି। ଏକ ଅଦାଲତ ଅବମାନନା ମାମଲାର ରାୟ ପ୍ରକାଶ କରି ଜଷ୍ଟିସ ସାବିତ୍ରୀ ରଥ ଏହି ଆଦେଶ ଦେଇଛନ୍ତି।

ଘଟଣା ଅନୁଯାୟୀ, ସୁନ୍ଦରଗଡ଼ ଜିଲା ବିସ୍ରା ଥାନାର ଆଇଆଇସି ମନୋରଞ୍ଜନ କୁମ୍ଭାର ନିମ୍ନ ଅଦାଲତ ଦ୍ୱାରା ଜାରି ହୋଇଥିବା ଏକ ଜାମିନବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ)କୁ ଦୀର୍ଘ ଦିନ ଧରି କାର୍ଯ୍ୟକାରୀ କରିନଥିଲେ। ଏପରିକି ହାଇକୋର୍ଟରେ ଶୁଣାଣି ବେଳେ ସେ ଥାନାକୁ କୌଣସି ୱାରେଣ୍ଟ ମିଳି ନ ଥିବା କହି କୋର୍ଟଙ୍କୁ ଭୁଲ୍ ସୂଚନା ଦେଇଥିଲେ। ତେବେ ରେକର୍ଡ ଯାଞ୍ଚରୁ ଜଣାପଡ଼ିଥିଲା ଯେ, ୱାରେଣ୍ଟଟି ରେଜିଷ୍ଟ୍ରି ଡାକ ଯୋଗେ ଥାନାରେ ପହଞ୍ଚି ସାରିଥିଲା। ପରବର୍ତ୍ତୀ ସମୟରେ ଆଇଆଇସି ନିଜର ଭୁଲ୍ ସ୍ୱୀକାର କରି ହୋମଗାର୍ଡଙ୍କ ଅବହେଳା ଯୋଗୁଁ ଏହା ଫାଇଲ୍ ଭିତରେ ରହିଯାଇଥିବା ଦର୍ଶାଇଥିଲେ ଏବଂ କୋର୍ଟଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଅଦାଲତ କହିଛନ୍ତି ଯେ ମାଜିଷ୍ଟ୍ରେଟ ଓ ଜିଲା ନ୍ୟାୟାଳୟମାନଙ୍କ ନିର୍ଦେଶ ପ୍ରତି ପୁଲିସର ଅବହେଳା ନ୍ୟାୟ ବିତରଣ ବ୍ୟବସ୍ଥାକୁ ପ୍ରଭାବିତ କରୁଛି। ଅନେକ କ୍ଷେତ୍ରରେ ୱାରେଣ୍ଟ କାର୍ଯ୍ୟକାରୀ କରାଯାଉନଥିବା କିମ୍ବା ଅଦାଲତକୁ ରିପୋର୍ଟ ଦିଆଯାଉନଥିବାରୁ ମାମଲାଗୁଡ଼ିକ ବାରମ୍ବାର ଘୁଞ୍ଚାଯାଉଛି। ଅଦାଲତ ବିସ୍ରା ଆଇଆଇସିଙ୍କୁ ଅବମାନନାରେ ଦୋଷୀ ଘୋଷଣା କରିଥିଲେ ମଧ୍ୟ ତାଙ୍କର ନିଃସର୍ତ୍ତ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ଦଣ୍ଡ ପ୍ରଦାନରୁ ବିରତ ରହିଛନ୍ତି। ତେବେ ଭବିଷ୍ୟତରେ ଏପରି ଅବହେଳାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *