Cyber Fraud

ସାଇବର ଠକେଇର ଶିକାର ହେଲେ ଏସଡିପିଓ, ବ୍ୟାଙ୍କ ଖାତାରୁ ପଳାଇଲା ୯୮ ହଜାର

Spread the love

ଭଦ୍ରକ : ସାଇବର ଠକେଇର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲି। ତାଙ୍କ ବ୍ୟାଙ୍କ ଖାତାରୁ ସାଇବର ଠକମାନେ ୯୮ ହଜାର ୯୨୮ ଟଙ୍କା ଚଳୁ କରି ଦେଇଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲିଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଥିବା ଏକାଉଣ୍ଟରୁ ଜୁନ୍ ୩ ତାରିଖରେ UPI ମାଧ୍ୟମରେ ଜଣେ ଅଜଣା ବ୍ୟକ୍ତିଙ୍କ ଖାତାକୁ ୯୮,୫୦୦ ଟଙ୍କା ଟ୍ରାନ୍ସଫର ହୋଇଥିବା ନେଇ ତାଙ୍କ ପାଖକୁ ମେସେଜ ଆସିଥିଲା। ଏହା ପରେ ସେ ବ୍ୟାଙ୍କରେ ଯାଞ୍ଚ କରିବାରୁ ଜଣାପଡ଼ିଥିଲା ଯେ ଏହା ପୂର୍ବରୁ ମଧ୍ୟ ଅଳ୍ପ ଅଳ୍ପ ଟଙ୍କା ତାଙ୍କ ଏକାଉଣ୍ଟରୁ ଟ୍ରାନ୍ସଫର ହୋଇଥିଲା।
ମେ’ ୨୬ରେ ୧ ଟଙ୍କା, ମେ’ ୨୮ରେ ୨୦ ଟଙ୍କା, ମେ’ ୩୧ରେ ୬ ଟଙ୍କା ଓ ଜୁନ୍ ୧ରେ ପୁଣି ୧ ଟଙ୍କା ତାଙ୍କ ଏକାଉଣ୍ଟରୁ ଟ୍ରାନ୍ସଫର କରାଯାଇଥିଲା। ସାଇବର ଠକମାନେ ପ୍ରଥମେ ଆକାଉଣ୍ଟ ସକ୍ରିୟ ଅଛି କି ନାହିଁ ଯାଞ୍ଚ କରି ପରେ ବଡ଼ ଅଙ୍କର ଟଙ୍କା ଲୁଟି ନେଇଥିବା ସନ୍ଦେହ କରାଯାଉଛି। ଏହା ଜଣାପଡ଼ିବା ପରେ ସେ ବ୍ୟାଙ୍କ ଏକାଉଣ୍ଟକୁ ଫ୍ରିଜ୍ କରିବା ସହିତ ବ୍ୟାଙ୍କ ସହ ଯୋଗାଯୋଗ କରି ଘଟଣା ସଂପର୍କରେ ତଥ୍ୟ ହାସଲ କରିଥିଲେ।
ଜୁନ୍ ୬ ତାରିଖରେ ଧାମନଗର ଥାନାରେ ଏନେଇ ଏସ୍‌ଡିପିଓ ଅଭିଯୋଗ କରିଥିଲେ। ଧାମନଗର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଏହି ଘଟଣା ନେଇ ଏସଡିପିଓ ଅନିରୁଦ୍ଧ ମୁଦୁଲିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *