କାହିଁକି ହ୍ରାସ ହେଲା ଉଜ୍ଜ୍ୱଳା ଯୋଜନା LPG କୋଟା? ଜବାବ ରଖିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)ରେ ବାର୍ଷିକ ସବସିଡି ଏଲପିଜି ସିଲିଣ୍ଡର ସଂଖ୍ୟା ୯ରୁ ହ୍ରାସ କରି ୪ କରିବା ଲାଗି ସରକାରଙ୍କ ନିଷ୍ପତ୍ତିର ସମାଲୋଚନା ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ବୁଧବାର ସ୍ପଷ୍ଟିକରଣ ରଖିଛନ୍ତି। ସେ କହିଛନ୍ତି ଯେ କିଛି ହିତାଧୀକାରୀ ଯୋଜନାର ଭୁଲ ଉପଯୋଗ କରିବା କାରଣରୁ ଏହି ପଦକ୍ଷେପ ନିଆଯାଇଛି। ପୁରୀ କହିଛନ୍ତି ଯେ ଏହି ନିଷ୍ପତ୍ତି ସେହି ପ୍ରମାଣ ଆଧାରରେ ଗ୍ରହଣ କରାଯାଇଛି ଯେ ଅନେକ ହିତାଧିକୀରଙ୍କର ଅତିରିକ୍ତ ସିଲିଣ୍ଡର ଆବଶ୍ୟକ ହେଉନଥିଲା। ଏଣୁ ଏଥିରୁ ଅନେକ କମର୍ସିଆଲ କାମ ଲାଗି ଉପଯୋଗ ହେଉଥିଲା।
ସେ କହିଛନ୍ତି ଯେ ଆଜି ସକାଳୁ ଏହି କଥା ଉପରେ ଚର୍ଚ୍ଚା ହେଉଛି ଯେ ଆମେ ଉଜ୍ଜ୍ୱଳା ସିଲିଣ୍ଡର ସଂଖ୍ୟା ହ୍ରାସ କରିଦେଇଛୁ। ଯଦି ଆପଣଙ୍କୁ ୪ଟିରୁ ଅଧିକ ସିଲିଣ୍ଡରର ଆବଶ୍ୟକତା ପଡୁନି ତେବେ ଆପଣଙ୍କୁ ଅଧିକ ସିଲିଣ୍ଡର କାହିଁକି ଦରକାର? ପୁରୀ କହିଛନ୍ତି ଯେ ଆମେ ଏଥି ପାଇଁ ଏହା କରିଛୁ ଯେ ଆମେ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଥିଲା ଯେ ଅନେକ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ସିଲିଣ୍ଡରର ଆବଶ୍ୟକତା ନଥିଲା। ସେମାନେ ୩୦୦ ଟଙ୍କାରେ ସିଲିଣ୍ଡର ନେଉଥିଲେ ଯାହାକୁ କମର୍ସିଆଲ ଉପଯୋଗ ପାଇଁ ବିକି ଦେଉନଥିଲେ ନତୁବା ଅନ୍ୟ ଉପଯୋଗ କରୁଥିଲେ।
ଉଲ୍ଲେଖଯୋଗ୍ୟ ଯେ ଦେଶରେ ମେ ୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (ପିଏମୟୁୱାଇ) ଆରମ୍ଭ ହୋଇଥିଲା। ଯୋଜନାରେ ଗରିବ ପରିବାରର ବୟଷ୍କା ମହିଳାଙ୍କୁ ବିନା ଡିପୋଜିଟ୍ ରେ ଏଲପିଜି କନେକ୍ସନ ଦିଆଯାଇଥିଲା। ଯୋଜନା ପ୍ରାରମ୍ଭରେ ହିତାଧିକାରୀଙ୍କୁ ବାର୍ଷିକ ୧୨ଟି ୧୪.୨ କେଜିଆ ସିଲିଣ୍ଡର ସବସିଡି ଦରରେ ଉପଲବ୍ଧ କରାଯାଉଥିଲା। ଗତ ବର୍ଷ ସବସିଡି ସିଲିଣ୍ଡର କୋଟା ହ୍ରାସ କରି ୯ କରିଦିଆଯାଇଥିବା ବେଳେ ଏବେ ଏହାକୁ ଆହୁରି କମ କରି ବାର୍ଷିକ ୪ଟି କରି ଦିଆଯାଇଛି। ପରିବର୍ତ୍ତିତ ସୀମା ମୋଟାମୋଟି ଉଜ୍ଜ୍ୱଳା ହିତାଧିକାରୀଙ୍କ ବାର୍ଷିକ ହାରାହାରି ଖର୍ଚ୍ଚ ସହ ସମାନ।
ଇତି ମଧ୍ୟରେ ସରକାର ଦୁଇ ଥର ସିଲିଣ୍ଡର ପିଛା ମୂଲ୍ୟ ବୃଦ୍ଧି କରିଛନ୍ତି। ମୂଲ୍ୟ ବୃଦ୍ଧି ପରେ ସବସିଡି ବାଦ ଦେଲେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ପ୍ରତି ସିଲିଣ୍ଡର ୬୪୨ ଟଙ୍କାରେ ମିଳୁଛି। ଏବେ ପ୍ରତି ସିଲିଣ୍ଡର ବାବଦ ୧୬୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଯୋଜନାରେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲାଭ ମିଳୁଛି।
