Plane

ଡୋମିନିକାନ୍ ରିପବ୍ଲିକ୍ ର ‘ଲା ରୋମାନା ଏୟାରପୋର୍ଟରେ ପ୍ଲେନ୍ କ୍ରାସ୍ , ୨ ପାଇଲଟ ମୃତ

Spread the love

ନୂଆଦିଲ୍ଲୀ: ଡୋମିନିକାନ୍ ରିପବ୍ଲିକ୍ ର ‘ଲା ରୋମାନା ଆନ୍ତର୍ଜାତୀୟ ବିମାନବନ୍ଦର’ ରେ ବିମାନ ଦୁର୍ଘଟଣା । ଏକ ‘ଗଲ୍ଫଷ୍ଟ୍ରିମ୍ G200’ ପ୍ରାଇଭେଟ୍ ଜେଟ୍ ରନୱେରେ ପିଟି ହେଲା । ଏହାପରେ ବିସ୍ଫୋରଣ ଯୋଗୁଁ ଜଳିପୋଡି ଛାରଖାର ହେଲା । ଏଥିରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଛି। ବିମାନଟି ଲା ରୋମାନାରୁ ଆମେରିକାର ଟେକ୍ସାସ୍ ସହର ଅଭିମୁଖେ ଯାତ୍ରା କରୁଥିଲା । ଉଡ଼ାଣର କିଛି ସମୟ ପରେ, ବିମାନରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାଇଲଟମାନେ ଜରୁରୀକାଳୀନ ଅବତରଣ ପାଇଁ ନିଷ୍ପତ୍ତି ନେଇଥିଲେ । ବିମାନବନ୍ଦରଠାରୁ ପ୍ରାୟ ୧୬ ନଟିକାଲ ମାଇଲ ଦୂରରେ ଥିବା ବେଳେ ଏହା ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିଲା ।

ଅବତରଣ ସମୟରେ ବିମାନଟି ରନ୍ ୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ବିମାନର ଇନ୍ଧନ ଟାଙ୍କି ଫାଟିଯିବାରୁ ଏହା ଏକ ବିଶାଳ ଅଗ୍ନିଗୋଳାରେ ପରିଣତ ହୋଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ, ବିମାନଟି ରନ୍ ୱେରେ ଘୋଷାଡ଼ି ହୋଇଯିବା ପରେ ଭୀଷଣ ଭାବେ ଜଳିଉଠିଥିଲା । ବିମାନରେ ଥିବା ପାଇଲଟ ଏବଂ କୋ-ପାଇଲଟ ଉଭୟଙ୍କର ମୃତ୍ୟୁ ଘଟିଛି । ଆଶ୍ୱସ୍ତିର ବିଷୟ ଯେ, ବିମାନରେ କୌଣସି ଯାତ୍ରୀ ନଥିଲେ। ଡୋମିନିକାନ୍ ସିଭିଲ୍ ଆଭିଏସନ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ​ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବୈଷୟିକ ଟିମ୍ କାର୍ଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *