ଅଫିସ ଭିତରେ ପୂର୍ବତନ ପ୍ରେମିକାଙ୍କୁ ଛୁରୀ ଭୁଷି ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ
ମୋହାଲି : ପଞ୍ଜାବ ମୋହାଲିରେ ଲୋମଟାଙ୍କୁରା ଘଟଣା । ମୋହାଲି ଫେଜ-୧୧ ସ୍ଥିତ ଏକ ପ୍ରାଇଭେଟ ଅଫିସରେ କାମ କରୁଥିବା ୩୦ ବର୍ଷୀୟା ଯୁବତୀଙ୍କୁ ପୂର୍ବତନ ପ୍ରେମିକ ଛୁରାମାଡ଼ କରି ହତ୍ୟା କରିଛି । ଏହି କାଣ୍ଡ ଭିଆଇବା ପରେ ନିଜେ ଜୀବନ ହରିବାକୁ ଚେଷ୍ଟା କରିଛନ୍ତି । ଘଟଣା ପରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ ।
ପୋଲିସ ମୁତାବକ, ପଟିୟାଲାରେ ରହୁଥିବା ଡିମ୍ପଲ (୩୦)ଙ୍କର ଆକ୍ରମଣ କରିଥିବା ଯୁବକ ହରବିନ୍ଦର ସିଂହ ମାନ ପୂର୍ବରୁ ପ୍ରେମ ସଂପର୍କ ରହିଥିଲା । ଦୁହେଁ ଗତ ୩ ବର୍ଷ ହେଲାଣି ଏକ ଘରୋଇ କମ୍ପାନୀରେ ଏକାଠି କାମ କରୁଥିଲେ । ଦୁହିଁଙ୍କର ମନମାଳିନ୍ୟ ଯୋଗୁଁ ବ୍ରେକଅପ୍ ହୋଇଯାଇଥିଲା । ଏହାପରେ ହରବିନ୍ଦର ମାନସିକ ଅବସ୍ଥା ଭଲ ନଥିଲା । ପ୍ରେମ କରୁଥିବା ଯୁବତୀ ଡିମ୍ପଲଙ୍କ ସହିତ ପୁଣି ଥରେ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ହରବିନ୍ଦର । କିନ୍ତୁ ଡିମ୍ପଲ ସଂପୂର୍ଣ୍ଣ ରୂପେ ମନା କରିବାକୁ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ରଚିଛନ୍ତି ହରବିନ୍ଦର ।
ଏହି ଘଟଣାର ସଂପୂର୍ଣ୍ଣ ଭିଡିଓ ସିସିଟିଭିରେ କଏଦ ହୋଇଛି । ଯୁବତୀ ଜଣକ କାମ କରୁଥିବା ଅଫିସ ସିସିଟିଭିରେ ସବୁ ରେକର୍ଡ ହୋଇଛି । ଗୁରୁବାର ସନ୍ଧ୍ୟାରେ ଯୁବତୀ ଜଣକ ନିଜ ଅଫିସରେ କାମ କରୁଥିବା ବେଳେ ପୂର୍ବତନ ପ୍ରେମିକ ହରବିନ୍ଦର ସେଠାରେ ପହଞ୍ଚିଥିଲେ । ଦୁହିଁଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ରାଗିଯାଇ ମାନସିକ ଭାବେ ବିଚଳିତ ଥିବା ହରବିନ୍ଦର ନିଜ ପାଖରେ ରଖିଥିବା ଛୁରି ବାହାର କରି ଯୁବତୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହି କାଣ୍ଡ ପରେ ଯୁବକ ଜଣକ ଛୁରୀରେ ଜୀବନ ହରିବାକୁ ଚେଷ୍ଟା କରିଥିଲେ । ଘଟଣା ପରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ସିସିଟିଭି ଫୁଟେଜକୁ ଜବତ କରି ମାମଲାର ଯାଞ୍ଚ ଆରମ୍ଭ କରିଛି ।
