ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ, ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା
ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେବା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ପ୍ରଦାନ କରିଛନ୍ତି। ଏହି ଇସ୍ତଫା ପରେ ଦେବାଶିଷ ସାମନ୍ତରାୟଙ୍କ ଆଗାମୀ ରାଜନୈତିକ ପଦକ୍ଷେପକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ରାଜନୈତିକ ମହଲରେ ଆଲୋଚନା ଚାଲିଛି ଯେ, ସେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିପାରନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତ କରିଥିବାରୁ ଏହି ଚର୍ଚ୍ଚାକୁ ଆହୁରି ବଳ ମିଳିଛି।
ସୂଚନା ଅନୁସାରେ, ଦେବାଶିଷ ବିଜେପିର କିଛି ବରିଷ୍ଠ ନେତୃତ୍ୱଙ୍କୁ ମଧ୍ୟ ଭେଟିପାରନ୍ତି। ଏହାପରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ଏପର୍ଯ୍ୟନ୍ତ ଦେବାଶିଷ କିମ୍ବା ବିଜେପି ପକ୍ଷରୁ କୌଣସି ଅଧିକୃତ ଘୋଷଣା ହୋଇନାହିଁ।
ରିପୋର୍ଟ ଅନୁସାରେ, ଦେବାଶିଷଙ୍କ ଅସନ୍ତୋଷ ପଛରେ ଦଳର କିଛି ନିଷ୍ପତ୍ତି, ବିଜେଡି ଭିତରେ ଭିନ୍ନ ଭିନ୍ନ ଶକ୍ତିକେନ୍ଦ୍ର ଓ ରାଜ୍ୟସଭାରେ ଦଳୀୟ ନେତୃତ୍ୱ ସମ୍ପର୍କିତ ଅସନ୍ତୋଷ ଭଳି କାରଣ ନେଇ ରାଜନୈତିକ ମହଲରେ ଆଲୋଚନା ଚାଲିଛି। ତେବେ ଦେବାଶିଷ ଏହି ସବୁ କଥା ଉପରେ ସାର୍ବଜନୀନ ଭାବେ କହିନାହାନ୍ତି।
