ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ସାଢ଼େ ୩ କୋଟିର ମାରିଜୁଆନା ଜବତ
ଭୁବନେଶ୍ୱର: ବିମାନବନ୍ଦର ଏବେ ଡ୍ରଗ୍ସ ମାଫିଆଙ୍କ ନୂଆ ଟ୍ରାଞ୍ଜିଟ୍ ରୁଟ୍ ପାଲଟିଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ନିଶାଦ୍ରବ୍ୟ ଚୋରାଚାଲାଣର ପର୍ଦ୍ଦାଫାଶ ହୋଇଛି। ଏୟାରପୋର୍ଟରୁ ପ୍ରାୟ ସାଢ଼େ ତିନି କୋଟି ଟଙ୍କାର ବିଦେଶୀ ମାରିଜୁଆନା ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇଛି।
ସୂଚନା ଅନୁଯାୟୀ, ଏକ ଇଣ୍ଡିଗୋ ଫ୍ଲାଇଟ୍ ଯୋଗେ ଦୁଇ ଜଣ ଯାତ୍ରୀ ବ୍ୟାଙ୍କକରୁ ଭୁବନେଶ୍ୱର ଆସିଥିଲେ। ସେମାନେ ନିଜ ସାଥିରେ ଆଣିଥିବା ଟ୍ରଲି ବ୍ୟାଗ୍ ଭିତରେ ଅତି ଚତୁରତାର ସହ ଏହି ନିଶାଦ୍ରବ୍ୟ ଲୁଚାଇ ଆଣୁଥିଲେ। ତେବେ ଡିଆରଆଇ ଅଧିକାରୀଙ୍କ ପାଖରେ ପୂର୍ବରୁ ଖବର ଥିଲା। ସେମାନେ ବିମାନବନ୍ଦରରେ ଛକି ରହିଥିଲେ। ଯାତ୍ରୀମାନେ ପହଞ୍ଚିବା କ୍ଷଣି ଟିମ୍ ସେମାନଙ୍କୁ କାବୁ କରିଥିଲା। ବର୍ତ୍ତମାନ ସେହି ଦୁଇ ଯାତ୍ରୀଙ୍କୁ ଅଟକ ରଖି ଘନଘନ ପଚରାଉଚରା କରାଯାଉଛି।
