Screenshot 2026 03 10 073857

୧୫ରୁ ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬

Spread the love

ଭୁବନେଶ୍ୱର: ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ ଆୟୋଜନ କରାଯିବ। ଏନେଇ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଭାରତୀୟ ଖେଳ ପ୍ରାଧିକରଣର ଆଞ୍ଚଳିକ କାର୍ଯ୍ୟାଳୟ, କୋଲକାତାଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ କ୍ରୀଡ଼ାମନ୍ତ୍ରୀ ସୂରଜ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫିଟ୍ ଇଣ୍ଡିଆ ମିଶନ ଅଧୀନରେ ନାଗରିକମାନଙ୍କ ମଧ୍ୟରେ ଏକ ସୁସ୍ଥ ଓ ନିରାମୟ ଜୀବନ ଯାପନ ଶୈଳୀକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ରେ ଯୁବବର୍ଗଙ୍କ ଠାରୁ ନେଇ ମହିଳା, ବରିଷ୍ଠ ନାଗରିକ, ଏନସିସି ଓ ଏନଏସଏସ ସ୍ବେଚ୍ଛାସେବୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସମସ୍ତ ସମୁଦାୟର ଅଂଶୀଦାରିତାକୁ ସୁନିଶ୍ଚିତ କରାଯିବ। ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଫିଟ୍ ଇଣ୍ଡିଆ କାର୍ନିଭାଲରେ ସକାଳ ସମୟରେ ପୁରୀ ବେଳାଭୂମିରେ ଯୋଗ, ପ୍ରାଣାୟାମ, ୱାକାଥନ୍‌, ମାରାଥନ୍‌ ସହ ଦୌଡ଼କୁଦ, ଫୁଟବଲ, ଜୁମ୍ବା, ଏରୋବିକ୍ସ, ଭଲିବଲ ଆଦି ଖେଳର ଆୟୋଜନ ହେବ। ମହିଳା ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କିଡ଼ସ ଜୋନ ଏବଂ ମହିଳା ୱେଲନେସ ଜୋନ୍‌ର ବ୍ୟବସ୍ଥା କରାଯିବ। ଶାରୀରିକ ଓ ମାନସିକ ସୁସ୍ଥତାକୁ ସୁନିଶ୍ଚିତ କରିବା ପାଇଁ ସାମୁହିକ ଧ୍ୟାନ ସହ ଆୟୁଷ ୱେଲନେସ୍‌ ସେଣ୍ଟର ଖୋଲାଯିବ। ସନ୍ଧ୍ୟା ସମୟରେ ଗୋଟିପୁଅ, ମଲଖମ୍ଭ, ଫିଟନେଶ ଫ୍ୟାସନ ୱାକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଫିଟନେଶ ଷ୍ଟୋରୀ ଓପନ ମାଇକ ଆଦି ଆୟୋଜିତ ହେବ।

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆ ମିଶନ ଅଧୀନରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପୁରୀରେ ଫିଟ୍ ଇଣ୍ଡିଆ କାର୍ନିଭାଲର ଆୟୋଜନ କରାଯାଉଛି। ଏକ ସୁସ୍ଥ ଜୀବନ ଯାପନ ଶୈଳୀକୁ ଆପଣାଇବା ସମସ୍ତେ ଯେପରି ଶାରୀରିକ ଓ ମାନସିକ ସ୍ତରରେ ସମସ୍ତେ ଫିଟ୍ ରହିବେ ତାହାକୁ ପ୍ରଧାନ୍ୟ ଦିଆଯିବ। ଆମ କ୍ରୀଡ଼ା ଜଗତ ସହ ଜଡ଼ିତ ଆମ ପାରମ୍ପରିକ ନୃତ୍ୟ ଗୋଟିପୁଅ, ମଲଖମ୍ଭର ଆୟୋଜନ ସହ ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରାଯିବ। ଫିଟ୍ ଇଣ୍ଡିଆ କାର୍ନିଭାଲର ସଫଳ ଆୟୋଜନ ନିମନ୍ତେ ସମସ୍ତ ପ୍ରଶାସନିକ ଓ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି।ପୁରୀ ଜିଲ୍ଲା ସମେତ ଓଡ଼ିଶାର ସମସ୍ତ ଜନସାଧାରଣ ଫିଟ୍ ଇଣ୍ଡିଆ କାର୍ନିଭାଲରେ ଯୋଗଦେଇ ଏହାକୁ ସଫଳ କରିବେ ବୋଲି ମୁଁ ଆଶାବାଦୀ।”

ଏଥିସହ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିକୁ ଯେପରି ଆହୁରି ସୁଦୃଢ଼ କରାଯାଇପାରିବ ସେ ସମ୍ବନ୍ଧରେ ଭାରତୀୟ ଖେଳ ପ୍ରାଧିକରଣର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଭାରତୀୟ ଖେଳ ପ୍ରାଧିକରଣ ଆଞ୍ଚଳିକ କାର୍ଯ୍ୟାଳୟର କ୍ରୀଡ଼ା ଭିତ୍ତିଭୂମିକୁ ବୁଲି ଦେଖିବା ସହ କ୍ରୀଡ଼ାବିତ୍‌ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।

 

Leave a Reply

Your email address will not be published. Required fields are marked *