ଦରଦାମ ନିୟନ୍ତ୍ରଣ କରିବାକୁ ମଲ୍ଟିପ୍ଲେକ୍ସ ମାଲିକଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସମୟ ବାହାର କରି ସିନେମା ଦେଖିବା ପାଇଁ ପରିବାର ସହିତ ମଲ୍ଟିପ୍ଲେକ୍ସକୁ ଯାଉଥିବା ଲୋକଙ୍କ ଉପରେ ହେଉଥିବା ଶୋଷଣକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ବିଚାରପତି ବିକ୍ରମ ନାଥ ଓ ବିଚାରପତି ସନ୍ଦୀପ ମେହେଟାଙ୍କୁ ନେଇ ଗଠିତ ପୀଠ ମଲ୍ଟିପ୍ଲେକ୍ସ ମାଲିକଙ୍କୁ ଚେତାବନୀ ଦେଇଛନ୍ତି। ପୀଠ ମଲ୍ଟିପ୍ଲେକ୍ସ ମାଲିକଙ୍କୁ ଦରଦାମ ନିୟନ୍ତ୍ରଣ କରିବାକୁ କହିଛନ୍ତି। ଅନ୍ୟଥା ସେମାନଙ୍କ ବେପାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ। କାରଣ ଦରଦାମ ଦେଖି ଲୋକେ ଆଉ ମଲଟିପ୍ଲେକ୍ସକୁ ଯିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ମଲ୍ଟିପ୍ଲେକ୍ସ ମଧ୍ୟରେ ଲୋକଙ୍କୁ ପାଣି ବୋତଲ ଗୋଟିକୁ ୧୦୦ ଟଙ୍କା, ଥଣ୍ଡା ମୃଦୁ ପାନୀୟ ବୋତଲ ଗୋଟିକୁ ୪୦୦ ଟଙ୍କା, ପପ୍କର୍ଣ୍ଣ ଗୋଟିଏ ଡବାକୁ ୫୦୦ ଟଙ୍କା, କାରମେଲ ପ୍ୟାକେଟ୍କୁ ୭୦୦ ଟଙ୍କାରେ କିଣିବାକୁ ଦର୍ଶକ ବାଧ୍ୟ ହୋଇଥାନ୍ତି।
ଫିଲ୍ମ ଟିକଟ ବାଦଦକୁ ୪୦୦ରୁ ୧୨୦୦ ଟଙ୍କା ଦେବା ପରେ ମଲ୍ଟିପ୍ଲେକ୍ସ ମଧ୍ୟରେ ଏପରି ଉଚ୍ଚା ଦରରେ ଜିନିଷ କିଣିବା ପରେ ଲୋକେ ଆନନ୍ଦ ପାଇବା ପରିବର୍ତ୍ତେ ନିରାଶ ହୋଇଥାନ୍ତି। ତେଣୁ କର୍ଣ୍ଣାଟକ ସରକାର ମଲ୍ଟିପ୍ଲେକ୍ସ ଟିକଟ ଦରକୁ ନିୟନ୍ତ୍ରଣ କରିବା ଲାଗି ନିୟମ ପ୍ରଣୟନ କରିଥିଲେ। ନିୟମରେ ମଲ୍ଟିପ୍ଲେକ୍ସର ଟିକଟ ଦର ୨୦୦ ଟଙ୍କାରେ ସୀମିତ ରଖାଯାଇଥିଲା। ମାତ୍ର ଏହି ନିୟମକୁ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଓ ଅନ୍ୟମାନେ କର୍ଣ୍ଣାଟକ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କ ନିୟମକୁ କାଏମ ରଖିଥିଲେ। ହାଇକୋର୍ଟଙ୍କ ରାୟକୁ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟ ଆବେଦନର ଶୁଣାଣି କରିବା ପୂର୍ବକ ଉପରୋକ୍ତ ଚେତାବନୀ ଦେଇଥିଲେ। ଏହା ସହିତ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ।
