Election commission

ବିଜ୍ଞାପନ ପାଇଁ ପ୍ରାକ୍‌ ଅନୁମତି ଜରୁରୀ: ନିର୍ବାଚନ କମିସନଙ୍କ ମାର୍ଗଦର୍ଶିକା

Spread the love

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ସମେତ ୭ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିିପ୍ରେକ୍ଷୀରେ ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ମଙ୍ଗଳବାର ସବୁ ପଞ୍ଜିକୃତ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ପାଇଁ ସାନି ମାର୍ଗଦର୍ଶିକା ଜାରି କରାଯାଇଛି। ବୈଦ୍ୟୁତିକ ଗଣମାଧ୍ୟମ ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜ୍ଞାପନ ପ୍ରକାଶ କରିବା ପୂର୍ବରୁ ଇସିଙ୍କ ଅନୁମତି ଲୋଡିବା ଜରୁରୀ ବୋଲି କୁହାଯାଇଛି। ଏଥିପାଇଁ ଜିଲା ଓ ରାଜ୍ୟସ୍ତରରେ ଇସିଙ୍କ ପକ୍ଷରୁ ମିଡିଆ ସାର୍ଟିଫିକେସନ କମିଟି ସ୍ଥାପନ କରାଯାଇଛି। ରାଜନୈତିକ ଦଳ ଏବଂ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ବିଜ୍ଞାପନ ପ୍ରକାଶନ ପୂର୍ବରୁ ଏହି କମିଟି ସଂପୃକ୍ତ ବିଜ୍ଞାପନର ବିଷୟବସ୍ତୁ ତଦାରଖ କରିବ ବୋଲି କୁହାଯାଇଛି।

କମିଟିର ପ୍ରାକ୍‌ ଅନୁମତି ବିନା ଇଣ୍ଟରନେଟ ଦ୍ବାରା ପରିଚାଳିତ ମିଡିଆ କିମ୍ବା ୱେବସାଇଟ୍‌ରେ ରାଜନୈତିକ ବିଜ୍ଞାପନ ପ୍ରସାରିତ ହୋଇପାରିବ ନାହିଁ ବୋଲି ଇସିଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସାଂପ୍ରତିକ ସମୟରେ ସାମାଜିକ ଗଣମାଧ୍ୟମର ପ୍ରଭାବ ବୃଦ୍ଧି ପାଉଥିବାରୁ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ସମ୍ପର୍କରେ ବିସ୍ତୃତ ବିବରଣୀ ଦାଖଲ କରିବାକୁ ପଡିବ ବୋଲି ଇସି କହିଛନ୍ତି। ଲୋକ ପ୍ରତିନିଧି ଆଇନ, ୧୯୫୧ର ଧାରା ୭୭(୧) ଏବଂ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦେଶ ଅନୁଯାୟୀ ନିର୍ବାଚନ ଶେଷ ହେବାର ୭୫ ଦିନ ମଧ୍ୟରେ ପ୍ରତ୍ୟେକ ରାଜନୈତିକ ଦଳ ସେମାନଙ୍କର ନିର୍ବାଚନ ଖର୍ଚ୍ଚ (ସୋସିଆଲ ମିଡିଆ ଏବଂ ଅନଲାଇନ ବିଜ୍ଞାପନକୁ ମିଶାଇ) ତାଲିକା ଇସିଙ୍କ ନିକଟରେ ଦାଖଲ କରିବାକୁ ବାଧ୍ୟ।

Leave a Reply

Your email address will not be published. Required fields are marked *