Berhampur university 1068x601

ହଷ୍ଟେଲ ବର୍ଦ୍ଧିତ ଫି’ ହ୍ରାସ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

Spread the love

ଗୋପାଳପୁର: ଛାତ୍ରାବାସର ବର୍ଦ୍ଧିତ ଫି’ ହ୍ରାସ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ମଙ୍ଗଳବାର ପ୍ରଶାସନିକ କୋଠା ସମ୍ମୁଖରେ ଧାରଣା ଦେଇ ଫି’ ବୃଦ୍ଧିର ପ୍ରତିବାଦ କରିଥିଲେ। ଶେଷରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ୧୫ ଦିନ ମଧ୍ୟରେ ଫି’ କମାଇବା ନିମନ୍ତେ ସିଣ୍ଡିକେଟ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ଏବଂ ଏଥି ନିମନ୍ତେ ସମୟ ଦରକାର ବୋଲି କୁହାଯିବା ପରେ ବିଦ୍ୟାର୍ଥୀମାନେ ବିକ୍ଷୋଭରୁ ଓହରିଥିଲେ।

ଓଡିଶାର ଅନ୍ୟ ବିଶ୍ବବିଦ୍ୟାଳୟ ତୁଳନାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ହଷ୍ଟେଲରେ ରହୁଥିବା ବିଦ୍ୟାର୍ଥୀମାନଙ୍କଠାରୁ ଅଧିକ ଫି (୧୦,୦୦୦ ଟଙ୍କାରୁ ଅଧିକ) ଆଦାୟ କରାଯାଉଛି। କିନ୍ତୁ ଉପଯୁକ୍ତ ସୁବିଧା ଦିଆଯାଉ ନାହିଁ। ଅଧିକାଂଶ ହଷ୍ଟେଲର କାନ୍ଥ ଫାଟି ଆଁ କରିଥିବା ବେଳେ  ଛାତରୁ ସିମେଣ୍ଟ ଅତଡ଼ା ଖସିପଡ଼ିଛି। ହଷ୍ଟେଲ ର ଗୋଟେ ଗୋଟେ ରୁମରେ ଏକାଧିକ ଛାତ୍ରଛାତ୍ରୀ ରହୁଛନ୍ତି । ଗୋଟିଏ ରୁମରେ ଗୋଟିଏ ଫ୍ୟାନ ଓ  ଲାଇଟ ପାଇଁ ଜଣପିଛା  ମାସିକ  ୨୦୦ ଟଙ୍କା ବିଦ୍ୟୁତ ଦେୟ ଆଦାୟ କରାଯାଉଛି। ଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଚିଲିକା ହଷ୍ଟେଲରେ ବହୁ ସମୟରେ ପାଣିର ଅଭାବ ଦେଖିବାକୁ ମିଳିବା ସହ ଅନେକ ହଷ୍ଟେଲରେ ଉତ୍ତମ ପାନୀୟ ଜଳର ସୁବ୍ୟବସ୍ଥା ନାହିଁ। ହଷ୍ଟେଲରେ ଥିବା ଲକ୍ଷାଧିକ ଟଙ୍କାର ଜିମ୍ନାଷ୍ଟିକ୍ସ ଜିନିଷ ଖତ ଖାଉଥିବା ବେଳେ ସେଗୁଡ଼ିକର ରକ୍ଷଣାବେକ୍ଷଣ ହେଉ ନ ଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି। ସେମାନେ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଛାତ୍ରନେତା ଇଜୁ ଆମିନ ଖାନ, ବାଲ୍ମୀକି ସେଠୀ, ସୁଦର୍ଶନ ମଲ୍ଲିକ, ମନିଷା କହଁର, ଆଫିଆ ଖାନୁମ୍, ଗୋବିନ୍ଦ ତ୍ରିପାଠୀ, ସିପୁନ ପ୍ରଧାନ, ବିଭୁ ପ୍ରସାଦ, ଶିବାନୀ ପାଟ୍ଟୀ , ଏନ୍ କାମରଜୁ ପାତ୍ର , ସନ୍ତୋଷ ବେହେରା ଓ ସୁବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *