Pipili 1068x601

ହାଇଦ୍ରାବାଦରେ ସମ୍ବର୍ଦ୍ଧିତ ହେଲେ ଓଡିଆ ଯୁବଚାଷୀ ମାନସ

Spread the love

ପିପିଲି: ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ହରିଡାମଡା ଗ୍ରାମର ସଫଳ ଯୁବ ଚାଷୀ ମାନସ କୁମାର ଦାସଙ୍କୁ ଚଳିତ ବର୍ଷର ଜାତୀୟ ସ୍ତରୀୟ ମର୍ଯ୍ୟାଦାଜନକ ‘ଉକୃଷ୍ଟ କୃଷକ-୨୦୨୫’ ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‍), ନୂଆଦିଲ୍ଲୀ ଅନ୍ତର୍ଗତ ‘ରାଷ୍ଟ୍ରୀୟ କୃଷି ଅନୁସନ୍ଧାନ ପ୍ରବନ୍ଧନ ଏକାଡେମୀ’, ହାଇଦ୍ରାବାଦର ୫୦ତମ ପ୍ରତିଷ୍ଠା ଉତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ କୃଷି ବୈଜ୍ଞାନିକ ଚୟନ କମିଟିର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଗୁରୁବଚନ ସିଂ ସୋମବାର ଦିନ ୫ଟି ରାଜ୍ୟର ୫ଜଣ ଅଗ୍ରଣୀ କୃଷକଙ୍କୁ ସଂବର୍ଦ୍ଧିତ କରିଥିଲେ। ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଭାରତୀୟ ଜଳ ପ୍ରବନ୍ଧନ ପ୍ରତିଷ୍ଠାନର ବିଭିନ୍ନ ପ୍ରଯୁକ୍ତିକୁ ଆପଣାଇଥିବା ଓଡିଶାର ସଫଳ ଯୁବଚାଷୀ ମାନସଙ୍କୁ ଏହି ସମ୍ମାନ ପ୍ରଦାନ କରି ସଂବର୍ଦ୍ଧିତ କରାଯାଇଛି।

ଭୁବନେଶ୍ୱରସ୍ଥିତ ଭାରତୀୟ ଜଳ ପ୍ରବନ୍ଧନ ପ୍ରତିଷ୍ଠାନ(ଆଇଆଇଡବ୍ଲ୍ୟୁଏମ୍‍)ର ଫାର୍ମର ଫାଷ୍ଟ ପ୍ରୋଜେକ୍ଟ ଦ୍ୱାରା ଆପଣାଯାଇଥିବା ଖୋର୍ଦ୍ଧା ଜିଲା ଭୁବନେଶ୍ୱର ବ୍ଳକ ଅନ୍ତର୍ଗତ ହରିଡାମଡା ପୋଷ୍ୟ ଗ୍ରାମର ଯୁବଚାଷୀ ତଥା ଜୟଦେବ ଦାସଙ୍କ ପୁତ୍ର ମାନସଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଆଇଆଇଡବ୍ଲ୍ୟୁଏମ୍‍ର ବୈଜ୍ଞାନିକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଆଧୁନିକ କୃଷି ପଦ୍ଧତି ଯଥା ବୈଜ୍ଞାନିକ ପଦ୍ଧତିରେ ପନିପରିବା ଚାଷ, ଧାନଚାଷ, ମାଛଚାଷ, ରଙ୍ଗୀନ କୁକୁଡା ପାଳନ, ଛତୁଚାଷ, ଜିଆଖତ ଉତ୍ପାଦନ, ଶୁଷ୍କ ଜଳସେଚନ, ପନିପରିବା ଚାଷ ଦ୍ୱାରା କୃଷିରେ ବିବିଧିକରଣ, କୃଷିରେ ଯାନ୍ତ୍ରୀକିକରଣ ଦ୍ୱାରା ମାନସ ଜଣେ ସଫଳ କୃଷକ ହୋଇପାରିଛନ୍ତି। ଏହାଦ୍ଵାରା ସେ ଓଡିଶାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏଥିପାଇଁ ଭାରତୀୟ ଜଳ ପ୍ରବନ୍ଧନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ଼ଃ ଅର୍ଜ୍ଜମାଦତ୍ତ ଷଡଙ୍ଗୀ, ଫାର୍ମର ଫାଷ୍ଟ ପ୍ରୋଜେକ୍ଟ ମୁଖ୍ୟ ଡ଼ଃ ସୁମନ୍ତ କୁମାର ମିଶ୍ରଙ୍କ ସମେତ ସମସ୍ତ ବୈଜ୍ଞାନିକମାନେ ଦାସଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *