ମୁମ୍ବାଇରେ ଦିନକରେ ୩୦୦ ମିମି ବର୍ଷା, ରେଡ୍ ଆଲର୍ଟ, ୬ ମୃତ, ୩ ଶହ ଉଦ୍ଧାର
ମୁମ୍ବାଇ: ମଙ୍ଗଳବାର ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକାଲ ଟ୍ରେନ୍ ବିଳମ୍ବିତ ହେବା ଓ ସଡ଼କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେବାରୁ ସହର ପ୍ରାୟ ଠପ୍ ହୋଇଯାଇଛି। ବର୍ଷାଜନିତ କାରଣ ପାଇଁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଣିଘେରରେ ଥିବା ବିପଦଗ୍ରସ୍ତ ଅଂଚଳରୁ ପ୍ରାୟ ୩ ଶହ ଲୋକଙ୍କୁ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରି ନାଗରିକମାନଙ୍କୁ ଘର ଭିତରେ ରହିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା ପରେ କହିଛନ୍ତି ଯେ ଆଗାମୀ ୪୮ ଘଣ୍ଟା ମୁମ୍ବାଇପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଜାରି ରେଡ୍ ଆଲର୍ଟ ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଏମ୍ସି ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଓ ଅର୍ଦ୍ଧସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛି। ଘରୋଇ ପ୍ରତିଷ୍ଠାନଗୁଡ଼ିକୁ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦେବାକୁ ପରାମର୍ଶ ଦିଆଯାଇଛି।
