4056202 Balanga Police

ବଳଙ୍ଗା ନାବାଳିକାକୁ ନିଆଁ ଲଗାଇବା ମାମଲା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡ଼ିତାଙ୍କ ମା’

Spread the love

ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳରେ ନାବାଳିକାଙ୍କ ଦେହରେ ନିଆଁ ଲଗାଇବା ମାମଲାରେ ପୀଡିତାଙ୍କ ମା’ ମୁହଁ ଖୋଲିଛନ୍ତି। ଆଜି ଅପରାହ୍‌ଣରେ ପୀଡ଼ିତାଙ୍କ ମା’ ବଳଙ୍ଗା ଥାନାରେ ଏତଲା ଦେଇଛନ୍ତି। ପୀଡ଼ିତାଙ୍କ ମା’ଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରିଛି।

ଅଭିଯୋଗରେ ପୀଡ଼ିତାଙ୍କ ମା’ କହିଛନ୍ତି, ଝିଅକୁ ପୋଡ଼ି ମାରି ଦେବାକୁ ଉଦ୍ୟମ କରାଯାଇଥିଲା। ଆଜି ପୂର୍ବାହ୍‌ଣରେ ଝିଅ ତାର ବଡ଼ବାପାଙ୍କ ଘରକୁ ଯାଉଥିଲା। ଏହି ସମୟରେ ପୂର୍ବରୁ ଟାର୍ଗେଟ କରିଥିବା ଦୁର୍ବୃତ୍ତମାନେ ଅପହେରଣ କରିଥିଲେ। ତିନି ଜଣ ଦୁର୍ବୃତ୍ତ ନାବାଳିକା ଝିଅକୁ ଅପହରଣ କରି ନଦୀବନ୍ଧ ପାଖକୁ ନେଇଯାଇଥିଲେ। ସେଠାରେ କିରାସିନି ଢ଼ାଳି ନିଆଁ ଲଗାଇଥିଲେ। ମାତ୍ର ଝିଅ ଉପସ୍ଥିତ ବୁଦ୍ଧି ଲଗାଇ ସେମାନଙ୍କ ପାଖରୁ ଖସି ଆସିଥିଲା। ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ। ଯେଉଁ ୩ ଅଭିଯୁକ୍ତ ଅପହରଣ କରିଥିଲେ, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ। ଅଭିଯୁକ୍ତମାନଙ୍କର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଦେହରେ ନିଆଁ ଲାଗି ଏମ୍ସରେ ଭର୍ତ୍ତି ହୋଇଥିବା ନାବାଳିକାଙ୍କ ଚିକିତ୍ସାରେ ୧୪ ଜଣିଆ ଡାକ୍ତରୀ ଟିମ୍‌ ନିୟୋଜିତ ଅଛନ୍ତି। ନାବାଳିକା ଜଣକ ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କୁ ସ୍ବତନ୍ତ୍ର ଚିକିତ୍ସା ଦିଆଯାଉଛି। ବିଶେଷଜ୍ଞ ଡାକ୍ତର ସଂଜୟ ଗିରିଙ୍କ ନେତୃତ୍ବରେ ନାବାଳିକାଙ୍କ ଚିକିତ୍ସା ଜାରି ରହିଛି। ଏହି ଟମ୍‌ରେ ପ୍ରଫେସର ଅନୁପମ ଦେ, ପ୍ରଫେସର ମନୋଜ ପାଣିଗ୍ରାହୀ, ଡ. ଦେବାଶିଷ ଆଚାର୍ଯ୍ୟ, ଡ. ଆଲୋକ ସାହୁ, ଡ. ରିତେଶ ପଣ୍ଡା, ଡ. ସିନ୍ଧୁ ସୁଧା ସାହୁ, ଡ. ସୁବର୍ଣ୍ଣ ମିତ୍ର, ଡ. ପ୍ରୀତି ମୀନା, ଡ. ତରୁଣ କୁମାର ପାତ୍ର, ଡ. ଶ୍ୟାମସୁନ୍ଦର ବେହେରା, ଡ. ଦେବଶ୍ରୀ ଦାସ, ଡ. ମହାଲିଙ୍ଗମ୍ ଓ ପ୍ରିୟଦର୍ଶିନୀ ସାହୁ ଅଛନ୍ତି।

ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଆଜି ପୂର୍ବାହ୍‌ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।

Leave a Reply

Your email address will not be published. Required fields are marked *