Dhar

ବଳଙ୍ଗା ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି: ଧର୍ମେନ୍ଦ୍ର

Spread the love

ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳରେ ଆଜି ପୂର୍ବାହ୍‌ଣରେ ଘଟିଥିବା ଘଟଣା ନେଇ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରିବା ସହିତ ଲେଖିଛନ୍ତି, ଏହି ଅଭାବନୀୟ ଘଟଣାରେ ମୁଁ ଦୁଃଖିତ ଓ ମର୍ମାହତ। ଏହି ଘଟଣାକୁ ସରକାର ଗମ୍ଭୀରତାର ସହ ନେଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏମ୍ସ ହସ୍ପିଟାଲରେ ନାବାଳିକାଙ୍କ ଚିକିତ୍ସା ଚାଲୁଅଛି। ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା।

ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇଦେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ଗୁରୁତର ନାବାଳିକାଙ୍କ ଦେହ ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କର ଏବେ ଏମ୍ସର ବର୍ଣ୍ଣ ୱାର୍ଡରେ ଚିକିତ୍ସା ଜାରି ରହିଛି। ହସ୍‌ପିଟାଲରେ ଅନେକ ରୋଗୀ ଥିବାରୁ ସାଧାରଣ ଲୋକଙ୍କ ଏକତ୍ରିତ ହେବା ଏବଂ ଶବ୍ଦ ସୃଷ୍ଟି କରିବା ଅନୁଚିତ। ଏହା ରୋଗୀଙ୍କ ସେବାରେ ବାଧା ସୃଷ୍ଟି କରିବ ଏବଂ ସଂକ୍ରମଣ ହାର ବୃଦ୍ଧି କରିବ। ତେଣୁ, ହସ୍ପିଟାଲ ପ୍ରବେଶ ସ୍ଥାନରୁ ଦୂରରେ ରହିବାକୁ ଏବଂ ହସ୍ପିଟାଲ ଲବି ଭିତରେ ଏକାଠି ନ ହେବାକୁ ଅନୁରୋଧ କରାଯାଉଛି।

ଘଟଣାସ୍ଥଳ ସମ୍ବେଦନଶୀଳ ଥିବାରୁ ନେତା ଓ କର୍ମୀମାନଙ୍କୁ ଏଠାରେ ପ୍ରବେଶ ନଦିଆଯିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେହିପରି ବ୍ୟାରିକେଡ ବାହାରକୁ ଏବେ ନେତା ଓ କର୍ମୀଙ୍କୁ କଢ଼ାଯିବା ପାଇଁ ଯୋଜନା କରାଯାଇଛି। ବର୍ଣ୍ଣ ୱାର୍ଡ଼ ବାହାରେ ସ୍ବତନ୍ତ୍ର ବ୍ୟରିକେଡ କରାଯାଇଛି। ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଆଜି ପୂର୍ବାହ୍‌ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *