Pip

‘ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି ୧୪ ଜଣିଆ ଟିମ୍’

Spread the love

ଭୁବନେଶ୍ବର: ଦେହରେ ନିଆଁ ଲାଗି ଏମ୍ସରେ ଭର୍ତ୍ତି ହୋଇଥିବା ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକାଙ୍କ ଚିକିତ୍ସାରେ ୧୪ ଜଣିଆ ଡାକ୍ତରୀ ଟିମ୍‌ ନିୟୋଜିତ ଅଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ନାବାଳିକା ଜଣକ ପ୍ରାୟ ୭୦ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କୁ ସ୍ବତନ୍ତ୍ର ଚିକିତ୍ସା ଦିଆଯାଉଛି।

ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ବିଶେଷଜ୍ଞ ଡାକ୍ତର ସଂଜୟ ଗିରିଙ୍କ ନେତୃତ୍ବରେ ନାବାଳିକାଙ୍କ ଚିକିତ୍ସା ଜାରି ରହିଛି। ଏହି ଟମ୍‌ରେ ପ୍ରଫେସର ଅନୁପମ ଦେ, ପ୍ରଫେସର ମନୋଜ ପାଣିଗ୍ରାହୀ, ଡ. ଦେବାଶିଷ ଆଚାର୍ଯ୍ୟ, ଡ. ଆଲୋକ ସାହୁ, ଡ. ରିତେଶ ପଣ୍ଡା, ଡ. ସିନ୍ଧୁ ସୁଧା ସାହୁ, ଡ. ସୁବର୍ଣ୍ଣ ମିତ୍ର, ଡ. ପ୍ରୀତି ମୀନା, ଡ. ତରୁଣ କୁମାର ପାତ୍ର, ଡ. ଶ୍ୟାମସୁନ୍ଦର ବେହେରା, ଡ. ଦେବଶ୍ରୀ ଦାସ, ଡ. ମହାଲିଙ୍ଗମ୍ ଓ ପ୍ରିୟଦର୍ଶିନୀ ସାହୁ ଅଛନ୍ତି।

ହସ୍‌ପିଟାଲରେ ଅନେକ ରୋଗୀ ଥିବାରୁ ସାଧାରଣ ଲୋକଙ୍କ ଏକତ୍ରିତ ହେବା ଏବଂ ଶବ୍ଦ ସୃଷ୍ଟି କରିବା ଅନୁଚିତ। ଏହା ରୋଗୀଙ୍କ ସେବାରେ ବାଧା ସୃଷ୍ଟି କରିବ ଏବଂ ସଂକ୍ରମଣ ହାର ବୃଦ୍ଧି କରିବ। ତେଣୁ, ହସ୍ପିଟାଲ ପ୍ରବେଶ ସ୍ଥାନରୁ ଦୂରରେ ରହିବାକୁ ଏବଂ ହସ୍ପିଟାଲ ଲବି ଭିତରେ ଏକାଠି ନ ହେବାକୁ ଅନୁରୋଧ କରାଯାଉଛି। ଏଥି ସହିତ ଏମ୍ସ ତରଫରୁ ବର୍ଣ୍ଣ ୱାର୍ଡ ବାହାରେ ଏହି ନୋଟିସ୍ ଲଗାଯାଇଛି।
ଏଥି ସହିତ ଘଟଣାସ୍ଥଳ ସମ୍ବେଦନଶୀଳ ଥିବାରୁ ନେତା ଓ କର୍ମୀମାନଙ୍କୁ ଏଠାରେ ପ୍ରବେଶ ନଦିଆଯିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେହିପରି ବ୍ୟାରିକେଡ ବାହାରକୁ ଏବେ ନେତା ଓ କର୍ମୀଙ୍କୁ କଢ଼ାଯିବା ପାଇଁ ଯୋଜନା କରାଯାଇଛି। ବର୍ଣ୍ଣ ୱାର୍ଡ଼ ବାହାରେ ସ୍ବତନ୍ତ୍ର ବ୍ୟରିକେଡ କରାଯାଇଛି। ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଆଜି ପୂର୍ବାହ୍‌ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।

Leave a Reply

Your email address will not be published. Required fields are marked *