Bhaktad

ନୈତିକତା ଦୃଷ୍ଟିରୁ ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ: କଂଗ୍ରେସ

Spread the love

ଭୁବନେଶ୍ବର: ଆତ୍ମାହୁତି ଉଦ୍ୟମ କରି ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ରବିବାର ସନ୍ଧ୍ୟାରେ ଭେଟିଛନ୍ତି। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସାଙ୍ଗକୁ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି, ଡାକ୍ତରଙ୍କ ସହ କଥା ହୋଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ଆଉ ଦୁଇଘଣ୍ଟା ବିଳମ୍ବ ହୋଇଥିଲେ ଅନେକ ଅସୁବିଧା ହୋଇଥାନ୍ତା। ବଞ୍ଚାଇବା ପାଇଁ ସମସ୍ତ ଉଦ୍ୟମ ଚାଲିଛି ଓ ସମସ୍ତ ଅତ୍ୟାଧୁନିକ ସେବା ଚାଲିଛି। ଶରୀରର ଫ୍ଲୁଏଡ଼ ଯାହା ଥିଲା ଶେଷ ହୋଇଯାଇଛି। ଉତ୍ତମ ଡ୍ରେସିଂ ଟ୍ରିଟମେଂଟ ଚାଲିଛି। ଏମ୍ସ ଦିଲ୍ଲୀ ସହ ବି ଚାଲିଛି ଆଲୋଚନା।

କଂଗ୍ରେସ ନେତା ଶ୍ରୀ ଦାସ କହିଛନ୍ତି, ଝିଅଟି ୬ ମାସ ହେଲା ମାନସିକ ଉତ୍ପୀଡ଼ନର ଶିକାର ହେଉଥିଲେ। ସମସ୍ତଙ୍କ ନିକଟରେ ସେ ଫେରାଦ ହୋଇଥିଲେ। ପରିବାର ଲୋକ ସମ୍ପୂର୍ଣ୍ଣ ଭାବେ ଜାଣି ନଥିଲେ। ଲୋକଲଜ୍ଜ୍ୟାକୁ ଥିଲା ଡର। ଝିଅ ଟ୍ୱିଟ କରିଛି, ଭିଡ଼ିଓ ଆସୁଛି ସାମ୍ନାକୁ ତଥାପି କେହି ଶୁଣିଲେନି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ସେ ବିଧାୟକଙ୍କ ପାଖକୁ ଯାଇଥିଲେ। କିନ୍ତୁ ବିଧାୟକ ଥାନାରେ କ’ଣ କଥା ହେଲେ ତାହା ଏକ ପ୍ରଶ୍ନ।

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, ସାଂସଦ କହିଥିଲେ ପ୍ରଫେସର ଜଣକ ଚାଳିଶା କରୁଛନ୍ତି। ଏହାର ଅର୍ଥ କଣ ବୋଲି ପଚାରିବା ସାଙ୍ଗକୁ ସାଂସଦ ନିଜେ ଜବାବ ଦାୟୀ କି ନୁହଁ ବୋଲି ପଚାରିଛନ୍ତି ଭକ୍ତ ଦାସ। ଏହା ସହ ପ୍ରିନ୍ସିପାଲଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିବା ସହ କୌଣସି କଲେଜରେ ସ୍ଥାୟୀ ପ୍ରିନ୍ସିପାଲ ନାହାନ୍ତି କାହିଁକି ପଚାରିଛନ୍ତି। ନୈତିକତା ଦୃଷ୍ଟିରୁ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଜଗନ୍ନାଥ ରଥଯାତ୍ରାରେ କାକରା ଖାଇ ରଥଯାତ୍ରା ବନ୍ଦ କଲେ। ଡାଇରିଆ ସମୟରେ ଉତ୍ସବ ମନାଇଛି ସରକାର। ଆଗକୁ ଛାତ୍ର ଓ ଯୁବକମାନେ ସମଗ୍ର ରାଜ୍ୟରେ ଚିତ୍କାର କରିବେ।

ରାଜ୍ୟରେ ମହିଳା ଏକ ପ୍ରସଙ୍ଗ ନୁହଁ ବୋଲି କହୁଥିବା ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ମୁଖ୍ୟମନ୍ତ୍ରୀ ନୀରିହ ବ୍ୟକ୍ତି ହେଲେ ବି ଆପଣଙ୍କ ଲୋକ ଓ ଶାସନ କ୍ଷମତାରେ ଥିବା ଲୋକମାନେ ଆପଣଙ୍କୁ କମଜୋର କରି ରଖିଛନ୍ତି। ଯଦି ନୈତିକତା ଅଛି ଏମାନଙ୍କୁ ଗାଦି ଚ୍ୟୁତ କର ବହିଷ୍କାର କର ବୋଲି କହିବା ସାଙ୍ଗକୁ ଆଗକୁ କଂଗ୍ରେସ ପକ୍ଷରୁ ପ୍ରତିନିଧି ଦଳ ବାଲେଶ୍ୱର ଯିବେ ଓ ରାଜରାସ୍ତାକୁ କଂଗ୍ରେସ ଓହ୍ଲାଇବ ବୋଲି କହିଛନ୍ତି ଭକ୍ତଚରଣ ଦାସ।

ସୂଚନାଯୋଗ୍ୟ, ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ ବିଇଡି ଦ୍ବିତୀୟ ବର୍ଷର ଛାତ୍ରୀ ଜଣକ ଅଧ୍ୟକ୍ଷ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଶୀଘ୍ର ନେଇ ନଥିବାରୁ ଅଶାନ୍ତିରେ ଦିନ କାଟୁଥିଲେ। ଏହି ମାମଲାର କୌଣସି ଦୃଷ୍ଟାନ୍ତମୂଳକ ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯାଇନଥିଲା। ଏହି କାରଣରୁ ଛାତ୍ରୀ ଜଣକ ମାନସିକ ଚାପରେ ଥିଲେ। ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଶନିବାର ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।

ଦେହରେ ନିଆଁ ଲାଗିବା ପରେ ଛାତ୍ରୀଜଣକ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନେ ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଛାତ୍ରୀ ୧୨ ଦିନ ହେଲା ମାନସିକ ଚାପରେ ଥିଲେ।

Leave a Reply

Your email address will not be published. Required fields are marked *