ମୌସୁମୀ ସହ ମାଡ଼ି ଆସୁଛି ଡେଙ୍ଗୁ: ରାଜଧାନୀରେ ଅଣାୟତ୍ତ ହେଲାଣି ସ୍ଥିତି
ଭୁବନେଶ୍ୱର: ମୌସୁମୀ ଆଗମନ ସହ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଶହେ ମୁହାଁ ହୋଇଥିବା ବେଳେ କେବଳ ଜୁନ୍ ମାସରେ ହିଁ ସର୍ବାଧିକ ମାମଲା ଚିହ୍ନଟ ହୋଇଛି, ଯାହା ଆଗାମୀ ଦିନରେ ସ୍ଥିତି ଅଧିକ ସଙ୍ଗୀନ ହେବାର ଆଶଙ୍କା ସୃଷ୍ଟି କରିଛି।
ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ ମାତ୍ର ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ମେ’ ମାସରେ ଏହି ସଂଖ୍ୟା ୧୪କୁ ବୃଦ୍ଧି ପାଇଥିଲା। କିନ୍ତୁ ଜୁନ୍ ମାସରେ ସ୍ଥିତି ଅଧିକ ଖରାପ ହୋଇଛି ଏବଂ ମାସ ଶେଷ ସୁଦ୍ଧା ୫୦ରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜଧାନୀର ବସ୍ତି ଅଞ୍ଚଳଗୁଡିକ ହଟସ୍ପଟ୍ ପାଲଟିଛି। ବିଶେଷକରି ସାଲିଆ ସାହିରୁ ସର୍ବାଧିକ ୬ ଜଣ, ଶିଖରଚଣ୍ଡି ନଗରରୁ ୫ ଜଣ ଏବଂ ୟୁନିଟ୍-୩ ଓ ସହିଦନଗର ଅଞ୍ଚଳରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ପଡ଼ିରହିଥିବା ପରିତ୍ୟକ୍ତ ଟାୟାର, ପାଣିକୁଣ୍ଡ, ନଡ଼ିଆ ଷଢ଼େଇ ଏବଂ ଥର୍ମୋକୁଲ୍ରେ ପାଣି ଜମି ରହୁଛି। ଏହା ଡେଙ୍ଗୁ ବାହକ ଏଡିସ୍ ମଶାଙ୍କ ପାଇଁ ପ୍ରଜନନ କ୍ଷେତ୍ର ପାଲଟିଛି, ଫଳରେ ମଶାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷାର ପରିମାଣ ବଢ଼ିଲେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ଦେଖାଦେଇଛି।
