ଆଗାମୀ ୨ ଦିନ ପାଇଁ ୬ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ: ସତର୍କ ସୂଚନା ଜାରି

Spread the love

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ପାଇଁ ଓଡ଼ିଶାର ୬ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ୬ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ତେଣୁ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ରାଜ୍ୟର ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ଅନୁଗୁଳ ଏବଂ କଳାହାଣ୍ଡି ଜିଲ୍ଲା ପାଇଁ ନିର୍ଦ୍ଦିଷ୍ଟ ସତର୍କ ସୂଚନା ଜାରି କରାଯାଇଛି। ଝାରସୁଗୁଡ଼ା ଏବଂ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ଲହରୀ ଜାରି ହେବାର ସମ୍ଭାବନା ବହୁତ ଅଧିକ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ମାର୍ଚ୍ଚ ୧୮ ପାଇଁ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଦୁଇଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ଏହା ବ୍ୟତୀତ, ୧୮ ମାର୍ଚ୍ଚ ପାଇଁ ବଲାଙ୍ଗୀର, ସୁନ୍ଦରଗଡ଼, ଅନୁଗୁଳ ଏବଂ କଳାହାଣ୍ଡି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କୁ ଗ୍ରୀଷ୍ମ ଲହରୀ ପରିସ୍ଥିତି ବିଷୟରେ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।
ଆଇଏମଡି ମାର୍ଚ୍ଚ ୧୯ ତାରିଖରେ ବୌଦ୍ଧ ଜିଲ୍ଲା ପାଇଁ ଏକ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଯାହା ସୂଚାଇ ଦେଇଛି ଯେ, ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଜାରି ରହିବ। ମାର୍ଚ୍ଚ ୧୯ରେ ବଲାଙ୍ଗୀର ଏବଂ ଝାରସୁଗୁଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏହି ଜିଲ୍ଲାଗୁଡ଼ିକର ବାସିନ୍ଦାମାନଙ୍କୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଯେପରିକି ଅଂଶୁଘାତ ପ୍ରତି ସଚେତନ ରହିବା। ଖରା ସମୟରେ ବାହାର କାର୍ଯ୍ୟକଳାପରୁ ଦୂରେଇ ରହିବା ଏବଂ ଛାଇରେ ରହିବାକୁ ପରାମର୍ଶ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *