Mohan Majhi 1 750x430

ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଚଳିତ ଆର୍ଥିକ ବର୍ଷରେ ୮୫ ପ୍ରତିଶତ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁବାର ଦିନ ଲୋକସେବା ଭବନରେ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା (୨୦୨୪-୨୫) ସମୁଦାୟ ଖର୍ଚ୍ଚ ପରିମାଣ ଅନ୍ୟୁନ ୮୫ ପ୍ରତିଶତ କରିବାକୁ ପରାମର୍ଶ ଦେଇଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ସମୁଦାୟ ଖର୍ଚ୍ଚ ପରିମାଣ ମୋଟ ବଜେଟର ୮୧ ପ୍ରତିଶତ ଥିଲା ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ନିର୍ବାଚନ, ନୂଆ ସରକାରଙ୍କ ଦାୟିତ୍ୱ ଗ୍ରହଣ ଏବଂ ସଂପୂର୍ଣ୍ଣ ବଜେଟ ସେପ୍ଟେମୱର ମାସରେ ହୋଇଥିବାରୁ ଖର୍ଚ୍ଚ ହେବାରେ ସମସ୍ୟା ରହିଥିଲା । ସେ ଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ଅନେକ ବିଭାଗର ଖର୍ଚ୍ଚ ପରିମାଣ ସନ୍ତୋଷଜନକ ରହିଛି । ତେବେ ଆଉ ଯେଉଁ ଗୋଟିଏ ମାସ ସମୟ ରହିଲା, ତାକୁ ସଂପୂର୍ଣ୍ଣ ଉପଯୋଗ କରି ବଜେଟର ଅନ୍ୟୁନ ୮୫ ପ୍ରତିଶତ ଖର୍ଚ୍ଚ କରିବାକୁ ସେ କହିଛନ୍ତି।
ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭାଗୀୟ ମନ୍ତ୍ରୀମାନେ ଯେଉଁସବୁ ଖର୍ଚ୍ଚ ପ୍ରସ୍ତାବ ଅଛି, ତାକୁ ତୁରନ୍ତ ଅନୁଧ୍ୟାନ କରି ଆବଶ୍ୟକ ଅନୁମୋଦନ କରିବା ଉଚିତ୍‌ । ବିଭିନ୍ନ କଲ୍ୟାଣ ଯୋଜନାରେ ଯେଉଁସବୁ ଦେୟ ପ୍ରଦାନ ବାକି ରହିଛି, ସେଗୁଡିକୁ ମଧ୍ୟ ନିୟମାନୁଯାୟୀ ତୁରନ୍ତ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, କାର୍ଯ୍ୟକ୍ରମ ବ୍ୟୟ ଓ ପୁଞ୍ଜି ବ୍ୟୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ରୋଜଗାର ସୃଷ୍ଟି ହୁଏ ଓ ଅଭିବୃଦ୍ଧିରେ ଉନ୍ନତି ଆସେ। ଓଡ଼ିଶା ନିଜ ଘରୋଇ ଉତ୍ପାଦର ୬.୧ ପ୍ରତିଶତ ପୁଞ୍ଜି ବ୍ୟୟ ବରାଦ କରିଛି । ସାରା ଦେଶରେ ଏହା ସବୁଠାରୁ ଅଧିକ। ଆମର ଲକ୍ଷ୍ୟ ହେଉଛି, କୃଷିଭିତ୍ତିକ ଅର୍ଥନୀତି ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରିବା। ଏଥିପାଇଁ ଭିତ୍ତିଭୂମିର ବ୍ୟାପକ ବିକାଶ ଆବଶ୍ୟକ।
ତେଣୁ ଏ କ୍ଷେତ୍ରରେ ମଧ୍ୟ ବ୍ୟାପକ ବିନିଯୋଗ ହେବା ଜରୁରୀ। ଲୋକଙ୍କ ସରକାର, ଲୋକଙ୍କ ବଜେଟ ପ୍ରସ୍ତୁତ କରିଛି । ଏସବୁ ଲୋକଙ୍କ ପାଇଁ ଯେପରି ଖର୍ଚ୍ଚ ହେବ, ସେଥିପାଇଁ ପ୍ରଶାସନ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ।
ଅନ୍ୟପଟେ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ, ସୱାସ୍ଥ୍ୟ, ଜଳସଂପଦ, ପୂର୍ତ୍ତ, ଭିନ୍ନକ୍ଷମ ଓ ସାମାଜିକ ନ୍ୟାୟ ବିଭାଗ, ଯୋଗାଣ ବିଭାଗ ଏବଂ ସମବାୟ ବିଭାଗ ଆଦି ବିଭାଗ ଗୁଡିକର ଖର୍ଚ୍ଚ ଅପେକ୍ଷାକୃତ ଭଲ ରହିଛି। ଅନ୍ୟ ବିଭାଗ ଗୁଡିକ ମଧ୍ୟ ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *