ଚାକିରି ନାରେ ଲୋକଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ ଏହି ଦମ୍ପତି, ଶେଷରେ କାବୁ କଲା ପୋଲିସ୍

Spread the love

ରାଉରକେଲା : ରାଉରକେଲା କୋର୍ଟରେ ସବ ଇନ୍ସପେକ୍ଟର ଏବଂ କିରାଣୀ ଚାକିରି ସହ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାର ଚାକିରି କରାଇ ଦେବାକୁ କହି ଭୁଆଁ ବୁଲାଉଥିଲେ । ଲକ୍ଷ ଲକ୍ଷ ଟଙ୍କା ଠକି ନିରୀହ ଲୋକଙ୍କୁ ଚୁନା ମାରୁଥିଲେ । ଶେଷରେ ଠକ ଦମ୍ପତିକୁ ବାନ୍ଧିଛି ରାଉରକେଲା ପୋଲିସ୍ । ଠକେଇ ଅଭିଯୋଗରେ ଆଇନ୍ କଲେଜରେ ପଢ଼ିଥିବା ଜଣେ ମହିଳା ଏବଂ ତା ସ୍ୱାମୀକୁ ଗିରଫ କରିଛି ପୋଲିସ୍ । ଏଥିସହ ଚାକିରି ଦେବା ପାଇଁ ଦେଇଥିବା ନିଯୁକ୍ତି ପତ୍ର ବି ଜବତ ହୋଇଛି ।

କିରାଣୀ ଚାକିରି ପାଇଁ ଏକ ଲକ୍ଷ ଟଙ୍କା, କୋର୍ଟ ସବ୍ ଇନ୍ସପେକ୍ଟର ପଦ ପାଇଁ ୨ ଲକ୍ଷ, କନିଷ୍ଠ କିରାଣୀ ପାଇଁ ଲକ୍ଷେ ଓ ପିଅନ ପଦ ପାଇଁ ୫୦ ହଜାର ଟଙ୍କା ନେଉଥିଲେ ଏହି ଦମ୍ପତି । ହାଇକୋର୍ଟରେ ଟ୍ରେନିଂ ଦିଆଯିବ ବୋଲି କହୁଥିଲେ । ତେବେ ଏହି ଠକ ଦମ୍ପତିଙ୍କ ସବୁ କଳା କାରନାମା ପଦାରେ ପଡିବା ପରେ ଶେଷରେ ଉଭୟଙ୍କୁ ଗିରଫ କରିବାରେ ସଫଳ ହୋଇଛି ରାଉରକେଲା ଉଦିତନଗର ପୋଲିସ୍ ।

ଅଭିଯୋଗ ମୁତାବକ, ରାଉରକେଲା ଓ ସୁନ୍ଦରଗଡ଼ କୋର୍ଟରେ ଚାକିରି ମିଳିବା ନେଇ ଏମାନେ ଲୋଭ ଦେଖାଉଥିଲେ । ଆପଣ ଜାଣି ଚକିତ ହେବେ କି, ସୁନ୍ଦରଗଡ଼ ଜିଲ୍ଲାର ବଡଗାଁ, ଝିରପାଣି ତଥା ବିଭିନ୍ନ ଅଞ୍ଚଳରୁ ୧୫ରୁ ଅଧିକ ନିରୀହ ଯୁବକ ଯୁବତୀଙ୍କୁ ଏମିତି ଚାକିରି ଲୋଭ ଦେଖାଇ ଠକ ମହିଳା ଲକ୍ଷ୍ମୀ ତନ୍ତୀ ଠକି ନେଇଛି ପ୍ରାୟ ୨୦ ଲକ୍ଷ ରୁ ଅଧିକର ଟଙ୍କା । ଟ୍ରେନିଂ ଓ ନିଯୁକ୍ତି ପତ୍ର ଦେବା ପୂର୍ବରୁ ଯୁବକ ଯୁବତୀଙ୍କଠୁ ଅଗ୍ରୀମ ୫୦ ହଜାର ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଛି ।

ଏପଟେ ଆଶାୟୀଙ୍କ ପରିବାର କିଏ ଧାନ ଓ ଛେଳି ବିକି ତ କିଏ ସୁନା ବନ୍ଧକ ରଖି, ଆଉ କିଏ ଅନ୍ୟ କାହାଠୁ ସୁଧରେ ଟଙ୍କା ଧାର ଆଣି ଏହି ଠକ ମହିଳାର ଦାବି ମୁତାବକ ଟଙ୍କା ଦେଇଛନ୍ତି । ସୁନ୍ଦରଗଡ଼ରେ ଏମିତି ଚାକିରି ନେଟ୍ ୱାର୍କ ଚଳାଇଥିଲା ରାଉରକେଲା ଲାଲ୍ ବିଲଡିଂ ଅଞ୍ଚଳର ଏହି ଠକ ମହିଳା । ତେବେ ପୂର୍ବରୁ ୩୦ ଲକ୍ଷ ଠକେଇ ମାମଲାରେ ଏହି ମହିଳାକୁ ବନ୍ଧମୁଣ୍ଡା ଥାନା ପୋଲିସ୍ ଗିରଫ କରିଥିଲା । ଏବେ ଆଉ ଏକ ଠକେଇ ମାମଲାରେ ଉକ୍ତ ମହିଳାକୁ ପୁଣି ଗିରଫ କରିଛି ଉଦିତ ନଗର ଥାନା ପୋଲିସ୍ ।

ଲୋକଙ୍କୁ ଭୁଆଁ ବୁଲାଇ ଅତି ସହଜରେ ବିଶ୍ୱାସ ଜନ୍ମାଇ କରୁଥିଲେ ଠକେଇ । ମିଛି ମିଛିକା ଚାକିରି ନେଟ୍ ୱାର୍କ ଚଳାଇ ଲକ୍ଷ ଲକ୍ଷ ଟଙ୍କା ଚୂନା ମାରୁଥିଲେ ଏହି ଠକ ଦମ୍ପତି । ଶେଷରେ ବିଭିନ୍ନ ବାହାନାରେ ଲୋକଙ୍କ ଠାରୁ ଠକେଇ କରିବା ପଡିଛି ମହଙ୍ଗା । ଏବେ ଚାରି କାନ୍ଥ ଭିତରେ ବିତିବ ଜୀବନ ।

Leave a Reply

Your email address will not be published. Required fields are marked *