ଉତ୍ତରପ୍ରଦେଶ ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ଅମିତାଭ ଯଶଙ୍କ ସୂଚନା ଅନୁଯାୟୀ, ଗୁଇନ୍ଦା ତଥ୍ୟ ଆଧାରରେ ଏଟିଏସ୍ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା। ଗିରଫ ଯୁବକମାନେ ହେଲେ ଅମୃତସରର ଗଗନଦୀପ ସିଂହ (୨୬), ରଜତ କୁମାର (୧୯) ଓ ଗୁରୁଦାସପୁରର କ୍ରିଶ (୨୧)। ସେମାନଙ୍କ ସହ ଜଣେ ନାବାଳକ ମଧ୍ୟ ଥିଲା। ଅକ୍ଟୋବର ୩୦ରେ ଲକ୍ଷ୍ନୌରୁ ସେମାନଙ୍କୁ ଧରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ରାଣା ଭାଇ ନାମକ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ଇନ୍ଷ୍ଟାଗ୍ରାମ୍ ଓ ହ୍ୱାଟ୍ସଆପ୍ ଜରିଆରେ ଯୋଗାଯୋଗରେ ଥିଲେ। ଅକ୍ଟୋବର ୨୯ ରାତିରେ ସେମାନେ ଅମୃତସରରୁ ଦିଲ୍ଲୀ ଦେଇ ଲକ୍ଷ୍ନୌରେ ପହଞ୍ଚିଥିଲେ। ରେଳଷ୍ଟେସନର ଭିଡିଓ ଉତ୍ତୋଳନ କରି ହ୍ୟାଣ୍ଡଲରଙ୍କ ନିକଟକୁ ପଠାଇଥିଲେ। ଯାତ୍ରା ଖର୍ଚ୍ଚ ପାଇଁ ତାଙ୍କ ନିକଟରୁ ୨,୫୮୫ ଟଙ୍କା ମିଳିଥିବା ତଦନ୍ତରେ ଜଣାପଡ଼ିଛି।
ସେମାନଙ୍କ ମୋବାଇଲ୍ ଫୋନ୍ରୁ ସନ୍ଦେହଜନକ ବାର୍ତ୍ତାଳାପ, ଭିଡିଓ ଓ ସମ୍ବେଦନଶୀଳ ପ୍ରତିଷ୍ଠାନ ସମ୍ପର୍କିତ ତଥ୍ୟ ମିଳିଛି। ଏହି ତଥ୍ୟ ପାକିସ୍ତାନରେ ଥିବା ହ୍ୟାଣ୍ଡଲରଙ୍କ ସହ ବାଣ୍ଟିଥିବା ଅଭିଯୋଗ ହୋଇଛି। ଏଟିଏସ୍ର କହିବା ଅନୁଯାୟୀ, ଏହି ଯୋଜନା ସଫଳ ହେବା ପରେ ଅଭିଯୁକ୍ତମାନଙ୍କୁ ନେପାଳ ପଳାଇଯିବାକୁ କୁହାଯାଇଥିଲା। ମାମଲାରେ ଜଣେ ସ୍ଥାନୀୟ ସହଯୋଗୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। ଅଭିଯୁକ୍ତଙ୍କୁ ସହାୟତା କରିଥିବା ବ୍ୟକ୍ତି, ଆର୍ଥିକ କାରବାର ଓ ଅନ୍ୟ ସହଯୋଗୀଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନଙ୍କୁ ପଚରାଉଚରା ପାଇଁ ପୁଲିସ ରିମାଣ୍ଡରେ ନେବାକୁ ଯୋଜନା କରିଛି।