୨୩ ମହଲାରୁ ପଡ଼ି ବାପ-ପୁଅ ମୃତ
ଉତ୍ତର ପ୍ରଦେଶ: ବେଳେ ବେଳେ ମୃତ୍ୟୁ ମଣିଷକୁ କେଉଁ ରୂପରେ କେଉଁ ସ୍ଥାନରେ ଭେଟେ, ତାହା ସମସ୍ତଙ୍କ କଳ୍ପନା ବାହାରେ ଥାଏ । ଏଇ ଯେମିତି ଉତ୍ତର ପ୍ରଦେଶ ଗ୍ରେଟର ନୋଏଡା ଅଂଚଳର ୪୦ ବର୍ଷୀୟ ରନଦୀପ ପାତ୍ର ଏବଂ ତାଙ୍କ ୧୧ ବଷୀୟ ପୁଅ ଅର୍ଣ୍ଣବ । ବାପ ପୁଅ ଠାକୁର ପୂଜା ପାଇଁ ବାଲ୍କୋନୀରୁ ଫୁଲ ତୋଳୁଥିଲେ । କିନ୍ତୁ ସେମାନେ କେବେବି କଳ୍ପନାରେ ବି ଭାବି ନ ଥିଲେ ସେଇଠି ହିଁ ସେମାନଙ୍କୁ ମୃତ୍ୟୁ ଯେମିତି ଜଗି ବସିଥିଲା । ମାତ୍ର କେଇ ମୁହୂର୍ତ୍ତ ମଧ୍ୟରେ ଅଫେରା ରାଇଜକୁ ବାଟ କାଟିଲେ ବାପ ପୁଅ ।
ଆସନ୍ତୁ ନଜର ପକାଇବା ପୂରା ଘଟଣାକ୍ରମ ଉପରେ । ଗୌତମବୁଦ୍ଧ ଜିଲା ଗ୍ରେଟର ନୋଏଡା ମହାଗୁନ ମାଇଉଡ୍ ସୋସାଇଟିରେ ଥିବା ଏକ ଆପାର୍ଟମେଂଟର ୨୩ ନମ୍ବର ଫ୍ଲାଟରେ ନିଜ ପରିବାର ସହ ରହୁଥିଲେ ରନ୍ଦିପ ପାତ୍ର ନାମକ ଜଣେ ୪୦ ବର୍ଷୀୟ ଯୁବକ । ଶୁକ୍ରବାର ସକାଳେ ରନ୍ଦିପଙ୍କ ପତ୍ନୀ ସ୍ଥାନୀୟ ଖଟୁଶ୍ୟମ ମନ୍ଦିରକୁ ପୂଜା କରିବାକୁ ଯିବାର ଥିଲା । ସ୍ତ୍ରୀଙ୍କୁ ପୂଜା ପାଇଁ ଫୁଲ ଦେବାକୁ ରନ୍ଦିପ ନିଜ ୧୧ ବର୍ଷୀୟ ପୁଅ ଅର୍ଣ୍ଣବ ସହ ବାଲକୋନୀରେ ଲଗାଇଥିବା ଫୁଲ ଗଛରୁ ଫୁଲ ତୋଳିବାକୁ ଯାଇଥିଲେ । ତେବେ ଫୁଲ ତୋଳୁ ତୋଳୁ ହଠାତ୍ ଗୋଡ ଖସିଯିବାରୁ ଅର୍ଣ୍ଣବ ତଳକୁ ଖସି ବାଲ୍କୋନୀରେ ଝୁଲି ରହି ବାପାଙ୍କୁ ବଂଚାଇବାକୁ ଆକୁଳ ନିବେଦନ କଲା । ପୁଅର ହାତ ଧରି ରନ୍ଦିପ ତାକୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଉଭୟ ବାପ ପୁଅ ତଳକୁ ଖସି ପଡିଥିଲେ । ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଂଚି ବାପପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
