ପୁରୀରେ କେରଳ ଓ ଓଡ଼ିଶାର ବରିଷ୍ଠ ସାମ୍ବାଦିକଙ୍କ ମିଳିତ ବୈଠକ : ସୁରକ୍ଷା ଓ ଜାତୀୟ ପେନସନ ନୀତି ଉପରେ ଆଲୋଚନା
ଭୁବନେଶ୍ବର : ପୁରୀ ଗସ୍ତରେ ଆସିଥିବା କେରଳର ଏକ 23 ଜଣିଆ ବରିଷ୍ଠ ସାମ୍ବାଦିକ ପ୍ରତିନିଧି ଦଳ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସାମ୍ବାଦିକମାନଙ୍କ ସମସ୍ୟା, ସୁରକ୍ଷା ଓ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଏକ ବିସ୍ତୃତ ଆଲୋଚନା କରିଛନ୍ତି | ସିନିୟର ଜର୍ନାଲିଷ୍ଟ ଫେଡରେସନ ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ ଏନ୍. ପି. ଛେତ୍ରୀଙ୍କ ନେତୃତ୍ବରେ ଆସିଥିବା ଏହି ଦଳ ପୁରୀ ଜିଲ୍ଲା ବରିଷ୍ଠ କର୍ମଜୀବୀ ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସହ ମିଳିତ ଭାବେ ଏକ ବୈଠକରେ ଅଂଶଗ୍ରହଣ କରିଥିଲେ | ଏହି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା ସାମ୍ବାଦିକମାନଙ୍କ ପାଇଁ ଏକ ସୁଦୃଢ଼ ସାମାଜିକ ନିରାପତ୍ତା ବ୍ୟବସ୍ଥା ପ୍ରସ୍ତୁତ କରିବା | ବିଶେଷ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମ୍ବାଦିକଙ୍କ ସ୍ବାର୍ଥ ରକ୍ଷା ପାଇଁ ଏକ ନିଦ୍ଦିର୍ଷ୍ଟ ଜାତୀୟ ନୀତି ପ୍ରଣୟନ କରାଯିବା ସହ ଦେଶବ୍ୟାପୀ ଏକ ସମାନ ‘ଜାତୀୟ ଗଣମାଧ୍ୟମ ପେନ୍ସନ୍ ନୀତି’ ଲାଗୁ କରିବା ଉପରେ ଏହି ଅବସରରେ ଗୁରୁତ୍ବାରୋପ କରାଯାଇଥିଲା | ବୈଠକରେ ଉଭୟ ରାଜ୍ୟର ସାମ୍ବାଦିକମାନେ କାର୍ଯ୍ୟକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲଞ୍ଜ ଓ ସୁରକ୍ଷା ସମ୍ପକିର୍ତ ବିଷୟକୁ ନେଇ ଚିନ୍ତାପ୍ରକଟ କରିଥିଲେ | ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଅଗ୍ରାଧିକାର ଭିତ୍ତିରେ ସାମିଲ କରିବା ପାଇଁ ଏକ ସମନ୍ବିତ ପ୍ରୟାସ ଉପରେ ଆଲୋଚନା ହୋଇଥିଲା |
ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ସିନିୟର ଜର୍ଣ୍ଣାଲିଷ୍ଟ ଫେଡରେସନ ଅଫ କେରଳର ସାଧାରଣ ସମ୍ପାଦକ କେ. ପି. ବିଜୟ କୁମାର, ସମ୍ପାଦକ ସି. କେ. ହସନକାୟା, ସଦସ୍ୟ ଏମ୍. ବିଲିନା, ଥମାସ ଗ୍ରିଗେରୀ, କେ. ମୋହନଦାସ ଏବଂ ପାଲାକଡ ଜିଲ୍ଲା ସଭାପତି ଟି. ଭି. ଚନ୍ଦ୍ରଶେଖର ପ୍ରମୁଖ କେରଳର ସାମ୍ବାଦିକମାନଙ୍କ ସ୍ଥିତି ଓ ସେଠାରେ ପ୍ରଚଳିତ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲେ |
ଅନ୍ୟପଟେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ସଂଘ ପକ୍ଷରୁ ସୁବାସ ପାଣିଗ୍ରାହୀ, ସରୋଜ କୁମାର ମିଶ୍ର, ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ନିରଞ୍ଜନ ବାରିକ, ଦେବେନ୍ଦ୍ର ସିଂହ, ଯଜ୍ଞେଶ୍ବର ମହାନ୍ତି, କିଶୋର ପାଣିଗ୍ରାହୀ ଏବଂ ଆଶୁତୋଷ ବେହେରା ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ | ଏଥିସହିତ ‘କର୍ତ୍ତବ୍ୟ’ର ସମ୍ପାଦିକା ଦିପ୍ତିମୟୀ କର, କାର୍ଯ୍ୟନିର୍ବାହୀ ସମ୍ପାଦକ ଶୁଭାଶିଷ ଘୋଷ, ସାମ୍ବାଦିକ ସନ୍ତୋଷ କୁମାର ନାୟକ, ପ୍ରଭାତ ପଣ୍ଡା, କୁନ୍ତଳା ବେହେରା, ଅଶୋକ କୁମାର ମିଶ୍ର ଏବଂ ନୃସିଂହ ଚରଣ ମହାନ୍ତି ପ୍ରମୁଖ ଯୋଗ ଦେଇ ସାମ୍ବାଦିକମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇଁ ଏକତାବଦ୍ଧ ହୋଇ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ | ଏହି ଗସ୍ତ ଓ ଆଲୋଚନା ମାଧ୍ୟମରେ ଦୁଇ ରାଜ୍ୟର ସାମ୍ବାଦିକଙ୍କ ମଧ୍ୟରେ ସମନ୍ବୟ ରକ୍ଷା ହେବା ସହ ଜାତୀୟ ସ୍ତରରେ ସାମ୍ବାଦିକଙ୍କ ହକ ପାଇଁ ସ୍ବର ଉତ୍ତୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି |
