’ଅର୍ଣ୍ଣବ’ ପାଇଁ ୫୩ ଟ୍ରେନ୍ ବାତିଲ୍, ବିମାନ ଚଳାଚଳ ପ୍ରଭାବିତ
ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ଅର୍ଣ୍ଣବ’ | ପୂର୍ବ ଆକଳନଠାରୁ ଆଗୁଆ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି ବାତ୍ୟା । ରାତି ପ୍ରାୟ ୧ଟା ୧୦ ମିନିଟରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆନ୍ଧ୍ର ଉପକୂଳରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ସାଙ୍ଗକୁ ଭୀଷଣ ପବନରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ ।
ଏପଟେ ବାତ୍ୟା ପାଇଁ ରେଳ ଚଳାଚଳ ଉପରେ ମଧ୍ୟ ବଡ଼ ପ୍ରଭାବ ପଡ଼ିଛି । ଦକ୍ଷିଣ ତଟ ରେଳପଥ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅକ୍ଟୋବର ୨୭ ଓ ୨୮ ତାରିଖରେ ଚଳାଚଳ କରିବାକୁ ଥିବା ମୋଟ ୫୩ଟି ଟ୍ରେନ୍ ସେବା ବାତିଲ୍ କରାଯାଇଥିବା ସୂଚନା ଦିଆଯାଇଛି। ବାତ୍ୟା ସ୍ଥିତି ଉପରେ ନଜର ରଖିବା ସହ ଜରୁରୀକାଳୀନ ସମନ୍ୱୟ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ବ୍ୟବସ୍ଥା କରାଯାଇଛି । ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଦେଇ ଯାତ୍ରା କରିବାକୁ ଥିବା ଯାତ୍ରୀମାନଙ୍କୁ ଟ୍ରେନ୍ ର ସଦ୍ୟତମ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।
ଅନ୍ୟପଟେ ବାତ୍ୟା ପ୍ରଭାବରେ ବିମାନ ଚଳାଚଳ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ବିଶାଖାପାଟଣା ବିମାନବନ୍ଦରରେ ଅକ୍ଟୋବର ୨୭ ତାରିଖ ଅପରାହ୍ଣରୁ ବିମାନ ଚଳାଚଳ ସ୍ଥଗିତ ରଖାଯାଇଥିବା ବେଳେ ବିଜୟୱାଡ଼ା ଓ ରାଜମହେନ୍ଦ୍ରୀ ବିମାନବନ୍ଦରରେ ସନ୍ଧ୍ୟା ୭ଟା ପରେ ଉଡ଼ାଣ ବନ୍ଦ ରଖାଯାଇଥିଲା। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଇଣ୍ଡିଗୋ ଓ ଆକାଶ ଏୟାର ପକ୍ଷରୁ ଏକାଧିକ ବିମାନ ବାତିଲ୍ କରାଯାଇଛି ।
ଉପଲବ୍ଧ ସୂଚନା ଅନୁସାରେ, ଏୟାର ଇଣ୍ଡିଆର ୬ଟି ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ର ୧୩ଟି ଉଡ଼ାଣ ବାତିଲ୍ ହୋଇଛି । ସେହିପରି ଆକାଶ ଏୟାର ପକ୍ଷରୁ ଅକ୍ଟୋବର ୨୮ ତାରିଖର ଦିଲ୍ଲୀ-ଭୋଗାପୁରମ୍ ଯିବାଆସିବା ବିମାନ ସେବା ବାତିଲ୍ କରାଯାଇଛି । ଇଣ୍ଡିଗୋ ମଧ୍ୟ ପ୍ରଭାବିତ ତିନିଟି ବିମାନବନ୍ଦରରେ ଉଡ଼ାଣ ସ୍ଥଗିତ ରଖିଛି । ଫଳରେ ଅନେକ ବିମାନଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିମାନବନ୍ଦରକୁ ଯିବା ପୂର୍ବରୁ ନିଜ ଉଡ଼ାଣର ସ୍ଥିତି ସମ୍ପର୍କରେ ସମ୍ପୃକ୍ତ ବିମାନ କମ୍ପାନୀଠାରୁ ସୂଚନା ନେବାକୁ କୁହାଯାଇଛି ।
ବାତ୍ୟାର ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିପଦପ୍ରବଣ ଅଞ୍ଚଳରୁ ଅତି କମ୍ ରେ ୮୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଲୋକଙ୍କ ଆଶ୍ରୟ ପାଇଁ ୨ ହଜାରରୁ ଅଧିକ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି । ବିଶେଷକରି ସମୁଦ୍ରକୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି ।
ଏପଟେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନର ପ୍ରଭାବ ଅନୁଭୂତ ହୋଇଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟାର ଲ୍ୟାଣ୍ଡଫଲ୍ ହେଉଥିଲେ ମଧ୍ୟ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା, ପବନ ଓ ଯାତାୟାତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ।
ତେବେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବା ପରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । କିନ୍ତୁ ବାତ୍ୟା ଦୁର୍ବଳ ହେଲେ ମଧ୍ୟ ତୁରନ୍ତ ବିପଦ ଟଳିଯିବ ନାହିଁ । ପ୍ରବଳ ବର୍ଷା, ଜଳବନ୍ଦୀ ସମସ୍ୟା, ଗଛ ଉପୁଡ଼ିବା ଓ ଯାତାୟାତରେ ବାଧା ଭଳି ସମସ୍ୟା ଲାଗି ରହିପାରେ ।
ତେଣୁ ପାଣିପାଗ ବିଭାଗ ଓ ସ୍ଥାନୀୟ ପ୍ରଶାସନର ସତର୍କ ସୂଚନା ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଏବେ ସମସ୍ତଙ୍କ ନଜର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା କେବେ ସମ୍ପୂର୍ଣ୍ଣ ହେଉଛି, ଆନ୍ଧ୍ରପ୍ରଦେଶରେ କେତେ କ୍ଷୟକ୍ଷତି ହୋଇଛି, ଓଡ଼ିଶାରେ ବାତ୍ୟାର ପ୍ରଭାବ କେତେ ରହୁଛି ଏବଂ କେବେ ସ୍ୱାଭାବିକ ହେଉଛି ଟ୍ରେନ୍ ଓ ବିମାନ ଚଳାଚଳ, ତାହା ଉପରେ ରହିଛି ।
