China

ପୁଣି ଚିନ୍ତା ବଢାଇଲା: ଅରୁଣାଚଳ ସୀମାରେ ବାୟୁସେନା ଘାଟି ନିର୍ମାଣ କରୁଛି ଚୀନ

Spread the love

ନୂଆଦିଲ୍ଲୀ: ଯେତେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲେ ସୁଦ୍ଧା ଭାରତ ସହ ଚୀନ୍‌ର ସୀମା ବିବାଦ ତୁଟିପାରୁ ନାହିଁ। ଭାରତ ସହ ସମ୍ପର୍କ ଉନ୍ନତ କରିବାକୁ ଚୀନ୍‌ ଉପରଠାଉରିଆ ପ୍ରତିଶ୍ରୁତି ଦେଉଥିଲେ ସୁଦ୍ଧା ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ କାହାଣୀ ବର୍ଣ୍ଣନା କରୁଛି। ଚୀନ ଇତିମଧ୍ୟରେ ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଆଉ ଏକ ବାୟୁସେନା ଘାଟି ନିର୍ମାଣ କରିଥିବା ଉପଗ୍ରହ ଚିତ୍ରରୁ ପ୍ରମାଣ ମିଳିଛି। ଏହି ଘାଟିରେ ୩୬ଟି ଲଢୁଆ ବିମାନ ରହିବା ଭଳି ହ୍ୟାଙ୍ଗର ବ୍ୟବସ୍ଥା କରାଯାଇଛି। ଅରୁଣାଚଳର ତାୱାଙ୍ଗ ସହରଠାରୁ ମାତ୍ର ୧୦୭ କିମି ଦୂର ତିବ୍ବତର ଲୁନ୍‌ଝେ ପ୍ରଦେଶରେ ଏହି ବାୟୁସେନା ଘାଟି ନିର୍ମାଣ କରାଯାଇଥିବା ପ୍ରକାଶ। ଏହି ଘାଟିରେ ଲଢୁଆ ବିମାନ ମୁତୟନ ବ୍ୟବସ୍ଥା କରାଯାଇଥିବାବେଳେ ଏକ ପ୍ରଶାସନିକ ବ୍ଲକ ମଧ୍ୟ ନିର୍ମାଣ କରାଯାଇଛି।

ଏହି ଘାଟିରୁ ଡ୍ରୋନ ଆକ୍ରମଣର ବ୍ୟବସ୍ଥା ମଧ୍ୟ ରହିଛି। ଏହି ଘାଟି କାର୍ଯ୍ୟକ୍ଷମ ହେବାଫଳରେ ଭାରତ ଅସୁବିଧା ସ୍ଥିତିରେ ପହଞ୍ଚିଛି। ଯୁଦ୍ଧ ପରିସ୍ଥିତିରେ ଏହି ଘାଟିରୁ ଚୀନ୍‌ର ଲଢୁଆ ବିମାନ, ହେଲିକପ୍ଟର ଓ ଡ୍ରୋନଗୁଡିକ ଭାରତର ବିଭିନ୍ନ ସ୍ଥାନ ଉପରେ ସହଜରେ ଆକ୍ରମଣ କରିପାରିବ। ଏହାର ମୁକାବିଲା କରିବା ପାଇଁ ଉତ୍ତର-ପୂର୍ବ ରାଜ୍ୟ ଯଥା ଆସାମ ଓ ଅରୁଣାଚଳ ପ୍ରଦେଶରେ ଥିବା ଭାରତର ବାୟୁସେନା ଘାଟି ସମୟ ପାଇବ ନାହିଁ ବୋଲି ପ୍ରତିରକ୍ଷା ବିଶେଜ୍ଞେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଯଦି ଆଗାମୀ ଦିନରେ ଭାରତ-ଚୀନ ଯୁଦ୍ଧ ଲାଗେ, ତେବେ ଚୀନ୍‌ ସେନାକୁ ସହଯୋଗ କରିବାକୁ ଲୁନ୍‌ଝେ ବାୟୁସେନା ଘାଟି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ବି.ଏସ.ଧାନୋଆ କହିଛନ୍ତି। ଚୀନ ଇତିମଧ୍ୟରେ ଏହି ଘାଟିରେ ବଙ୍କର ନିର୍ମାଣ କରି ବିମାନ ଇନ୍ଧନ ଓ ଅସ୍ତ୍ରଶସ୍ତ୍ର ମହଜୁଦ କରିସାରିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଧାନୋଆ ବାୟୁସେନା ମୁଖ୍ୟ ଥିବାବେଳେ ୨୦୧୭ରେ ଡୋକ୍‌ଲାମରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗିଥିଲା। ସେତେବେଳେ ତିବ୍ବତରେ ଚୀନ୍‌ର କୌଣସି ବାୟୁସେନା ଘାଟି ନଥିବାରୁ ଚୀନ୍‌ ଅସୁବିଧା ସ୍ଥିତିର ସମ୍ମୁଖୀନ ହୋଇଥିଲା। ସେତେବେଳେ ଧାନୋଆ କହିଥିଲେ ଯେ ଯଦି ତିବ୍ବତରେ ଚୀନ୍‌ ବାୟୁସେନା ଘାଟି ନିର୍ମାଣ କରିବ, ତେବେ ତାହାର ଏକମାତ୍ର ଲକ୍ଷ୍ୟ ହେବ ଭାରତ ବିରୋଧରେ ଯୁଦ୍ଧ ଘୋଷଣା। ୨୦୨୦ ଜୁନରେ ଲଦାଖଣ ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ଚୀନ ମଧ୍ୟ ୪୫ ସୈନ୍ୟଙ୍କୁ ହରାଇଥିଲା। ସେହିଦିନଠାରୁ ଭାରତ-ଚୀନ ସୀମା ବିବାଦ ଅଧିକ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ପୂର୍ବତନ ବାୟୁସେନା ଉପମୁଖ୍ୟ ଏୟାର ମାର୍ଶାଲ ଅନିଲ ଖୋସଲା କହିଛନ୍ତି ଯେ ଲୁନ୍‌ଝେରେ ଚୀନ ଯେଉଁ ହ୍ୟାଙ୍ଗର ନିର୍ମାଣ କରିଛି, ତାହାକୁ ଭାରତୀୟ କ୍ଷେପଣାସ୍ତ୍ର ଭେଦ କରିବା କଷ୍ଟକର ହୋଇପଡିବ। ବାସ୍ତବ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଟିଙ୍ଗ୍ରି, ଲୁନ୍‌ଝେ ଓ ବୁରାଙ୍ଗରେ ଚୀନ ବାୟୁସେନା ଘାଟି ପ୍ରସ୍ତୁତ ହୋଇସାରିଲାଣି। ଏହି ଘାଟିରୁ ଚୀନର ଲଢୁଆ ବିମାନଗୁଡିକ ଅନାୟାସରେ ଅରୁଣାଚଳ, ସିକ୍କିମ, ଉତ୍ତରାଖଣ୍ଡ ଓ ଲଦାଖସ୍ଥିତ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରିପାରିବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *