Cyclone pic

ତାଣ୍ଡବ ରଚିବ ଅର୍ଣ୍ଣବ, ଟ୍ୱିନ୍ ସିଟିକୁ ହାଇଆଲର୍ଟ

Spread the love

ଭୁବନେଶ୍ୱର : ମାଡ଼ିଆସୁଛି ଅର୍ଣ୍ଣବ । ସମୁଦ୍ରରେ ଦେଖାଇଲାଣି କରାଳ ରୂପ । ଉପକୂଳରେ ହେଲାଣି ଜୋରଦାର ବର୍ଷା ସାଙ୍ଗକୁ ପବନ । ୧୦୦ କିମି ବେଗରେ ବହିବ ପବନ, ୨୦୦ ମିଲିମିଟରରୁ ଅଧିକ ହେବ ବର୍ଷା । ୩୬ ଘଣ୍ଟା ଧରି ଓଡ଼ିଶାରେ ତାଣ୍ଡବ ରଚିବ ଅର୍ଣ୍ଣବ । ଦକ୍ଷିଣରୁ ଉପକୂଳ, ଆଭ୍ୟନ୍ତରୀଣରୁ ପଶ୍ଚିମ । ସବୁଠି ରହିବ ବାତ୍ୟାର ପ୍ରଭାବ। ପୁରା ଆଲର୍ଟରେ ପ୍ରଶାସନ । ୧୦ ହଜାରରୁ ଅଧିକ ଲୋକେ ସ୍ଥାନାନ୍ତରିତ ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଭୀଷଣ ବାତ୍ୟାର ରୂପ ଧରି ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି। ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୨୨ କି.ମି. ବେଗରେ ପ୍ରାୟ ପଶ୍ଚିମ ଦିଗରେ ଗତି କରୁଛି । ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ବାତ୍ୟା ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଏହାପରେ ଅକ୍ଟୋବର୨୮ ପୂର୍ବାହ୍ନ ସୁଦ୍ଧା ବାପଟୋଲା ଓ ବିଶାଖାପାଟଣା ମଧ୍ୟରେ ୟାନାମ ନିକଟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସ୍ଥଳଭାଗ ଅତିକ୍ରମ ସମୟରେ ବାତ୍ୟାର ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କି.ମି. ରହିବା ସହ ଝଟକା ପବନର ବେଗ ୧୫୦ କି.ମି. ପର୍ଯ୍ୟନ୍ତ ପହଞ୍ଚିପାରେ।

ଅର୍ଣ୍ଣବ ପ୍ରଭାବରୁ ବର୍ତ୍ତିବନି ଟ୍ୱିନ ସିଟି । ଭୁବନେଶ୍ୱରରେ ପ୍ରବଳ ବର୍ଷା ନେଇ ଆଲର୍ଟ କରାଇଛି ପାଣିପାଗ ବିଭାଗ । ସହରରେ ୨୦୦ରୁ ୩୦୦ ମିଲିମିଟର ବର୍ଷା ହେଇପାରେ । କଟକରେ 150 ମିଲିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଜଳବନ୍ଦୀ ସ୍ଥିତି ଓ ଜଳ ନିଷ୍କାସନ ହେବାରେ ସମସ୍ୟା ଦେଖା ଦେବ। ଯାହା ଫଳରେ ଆକସ୍ମିକ ବନ୍ୟା ସ୍ଥିତି ଦେଖା ଦେଇପାରେ । ତେଣୁ ବାତ୍ୟା ଅର୍ଣ୍ଣବ ପ୍ରଭାବକୁ ଦୃଷ୍ଟିରେ ରଖି ନିଆଯାଇଛି ଆଗୁଆ ପଦକ୍ଷେପ ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ବନ୍ଦ । ମଙ୍ଗଳବାର ଅପରାହ୍ନ ୧ ଘଟିକା ଠାରୁ ଓ ୨୮ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶ । ମାତ୍ର ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଦେଇଛନ୍ତି ନିର୍ଦ୍ଦେଶ । ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଦ୍ୟାଳୟ କୋଠା ଓ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ଗୁଡ଼ିକ ୨୪ ଘଣ୍ଟା ଖୋଲା ରଖିବା ସହ ରୋଷ୍ଟର ଡ୍ୟୁଟି ପ୍ରଚଳନ ପାଇଁ ପ୍ରଧାନଶିକ୍ଷକ ଏବଂ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ ଆଦେଶକୁ ତୁରନ୍ତ ଏବଂ କଡ଼ାକଡି ପାଳନ କରିବାକୁ ମଧ୍ୟ ଦିଆଯାଇଛି ନିର୍ଦ୍ଦେଶ । ଏହାସହ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଅକ୍ଟୋବର ୩୧ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

ତେଣୁ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଆଶଙ୍କା ବଢ଼ୁଥିବା ବେଳେ ଆଗୁଆ ପ୍ରସ୍ତୁତି ଉପରେ ଜୋର ଦେଇଛି ପ୍ରଶାସନ। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି। ଏଭଳି ସ୍ଥିତିରେ ଅଯଥା ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ଘରେ ରହିବା ଆବଶ୍ୟକ । ଏବେ ସମସ୍ତଙ୍କ ନଜର ବାତ୍ୟାର ଗତିପଥ ଓ ଏହାର ପ୍ରଭାବ ଉପରେ। ସତର୍କତା ହିଁ ସୁରକ୍ଷାର ପ୍ରଥମ ପଦକ୍ଷେପ ।

Leave a Reply

Your email address will not be published. Required fields are marked *