Zubeen garg 1758275993

ଦୁର୍ଘଟଣାରେ ପ୍ରାଣ ହରାଇଲେ ବଲିଉଡ ଗାୟକ ଜୁବିନ ଗର୍ଗ

Spread the love

ମୁମ୍ବଇ: ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଲିଉଡର ଲୋକପ୍ରିୟ ପ୍ରଚ୍ଛଦପଟ ଗାୟକ ଜୁବିନ ଗର୍ଗ ପ୍ରାଣ ହରାଇଥିବା ଜଣାପଡିଛି। ଆସନ୍ତା ୨୦ ଓ ୨୧ରେ ଅନୁଷ୍ଠିତ ହେବାକୁ ଥିବା ‘ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ’ରେ ଅଂଶଗ୍ରହଣ କରିବାକୁ ୫୨ ବର୍ଷୀୟ ଜୁବିନ ସିଙ୍ଗାପୁର ଯାଇଥିଲେ। ଶୁକ୍ରବାର ସମୁଦ୍ରରେ ସ୍କୁବା ଡାଇଭିଂ କରୁଥିବାବେଳେ ଜୁବିନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ସିଙ୍ଗାପୁର ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଭାରତୀୟ ସମୟ ଅପରାହ୍ଣ ୨ଟା ୩୦ରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ସ୍କୁବା ଡାଇଭିଂ ସମୟରେ ଜୁବିନ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ ବୋଲି ଏହି ଫେଷ୍ଟିଭାଲର ଜଣେ କର୍ମକର୍ତ୍ତା ସୂଚନା ଦେଇଛନ୍ତି। ତାଙ୍କର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଜୁବିନଙ୍କ ମୃତ୍ୟୁରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ କେନ୍ଦ୍ର ମନ୍ତ୍ରୀ ପବିତ୍ରା ମାର୍ଗାରିଟା ଗଭୀର ଶୋକପ୍ରକାଶ କରିଛନ୍ତି। ଆସାମ ତାହାର ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ବୋଲି ବିଶ୍ବଶର୍ମା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଜୁବିନ ହିନ୍ଦୀ, ଅହମିଆ ଏବଂ ବଙ୍ଗଳା ଭାଷାରେ ଗୀତ ଗାଇ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଇମ୍ରାନ ହାସ୍‌ମି ଓ କଙ୍ଗନା ରାଣାୱତ ଅଭିନୀତ ‘ଗ୍ୟାଙ୍ଗଷ୍ଟର’ ଚଳଚ୍ଚିତ୍ରରେ ସେ ଗାଇଥିବା ‘ୟା ଅଲ୍ଲୀ’ ଗୀତ ଏବଂ ‘କ୍ରିସ୍‌-୩’ରେ ଗାଇଥିବା ‘ଦିଲ୍‌ ତୁ ହି ବତା’ ଗୀତକୁ ଶ୍ରୋତା ବେଶ ପସନ୍ଦ କରିଥିଲେ। ଗୀତ ଗାଇବା ବ୍ୟତୀତ ସେ କାଞ୍ଚନଜଙ୍ଘା, ମିଶନ ଚାଇନା, ଦୀନବନ୍ଧୁ ଓ ମୋନ୍‌ ଜାଏ ଭଳି ଏକାଧିକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିବା ସହ ନିର୍ଦେଶନା ମଧ୍ୟ ଦେଇଛନ୍ତି। ୨୦୨୨ରେ ଜୁବିନ ଆସାମର ଦିବ୍ରୁଗଡରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହୋଇପଡିଥିଲେ। ଏୟାର ଆମ୍ବୁଲାନ୍ସରେ ତାଙ୍କୁ ଗୁଆହାଟୀ ଅଣାଯାଇ ଏକ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *