ମୋ ବସ୍ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ ଘଟଣା, କ୍ରୁଟ୍ ପକ୍ଷରୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ
ଭୁବନେଶ୍ୱର : ମୋ ବସ୍ ଧକ୍କାରେ ୧୩ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟଣାରେ କ୍ରୁଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଆଇଛି । ଏହାପରେ ସେଠାରେ ଯେଉଁ ସ୍ଥାନୀୟବାସୀ ରାସ୍ତାରୋକ କରିଥିଲେ ସେମାନେ ହଟିଛନ୍ତି । ଡ୍ରାଇଭରର ଭୁଲ ପାଇଁ ଦୁର୍ଘଟଣାକୁ ସ୍ୱୀକାର କଲେ କତ୍ତୃପକ୍ଷ ।
ସୂଚନା ଅନୁସାରେ ଆଜି ସକାଳୁ ନାବାଳିକାଙ୍କ ଜୀବନ ନେଇଛି ମୋ ବସ୍ । ନନ୍ଦନକାନନ ରାସ୍ତା ରଘୁନାଥପୁର ନିକଟରେ ଘଟିଥିଲା ଦୁର୍ଘଟଣା । ଘରୁ ସାଇକେଲ ନେଇ ନନ୍ଦନକାନନ ଛକକୁ ଯାଉଥିଲେ ୧୩ ବର୍ଷ ବୟସ୍କ ନାବାଳିକା । ପଛରୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା ମୋ ବସ୍ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । କାନ୍ଦବୋବାଳିରେ ପାଟି ପଡିଥିଲା ପରିବେଶ । ଛାତିକୁ ପିଟି ପିଟି ରାସ୍ତା ଉପରେ ଗଡିଯାଇଥିଲା ମାଆ । ମୋ ଝିଅ ଆଉ ଫେରିବନି କହି ମୁଣ୍ଡ ବାଡେଇ କାନ୍ଦୁଥିଲା ।
ଏପଟେ ଉତ୍ୟକ୍ତ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତା ଅବରୋଧ ଫଳରେ ଘଣ୍ଟା ଘଣ୍ଟା ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା । ଅଟକି ରହିଥିଲା ଗାଡ଼ି ମୋଟର। ଟ୍ରାଫିକ ଡିସିପି, ଜୋନ୍ ଏସିପି ଓ ନନ୍ଦନକାନନ ଥାନା ଅଧିକାରୀ ଓ କ୍ରୁଟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଆଲୋଚନା ପରେ କ୍ରୁଟ ପକ୍ଷରୁ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଥିଲା । ଏହାପରେ ରାସ୍ତା ଅବରୋଧ ହଟିଥିଲା ।