1792846885 Protesting Jamia students clash

ଜାମିଆ ୟୁନିଭର୍ସିଟିରେ ହିଂସକ ରୂପ ନେଲା ଛାତ୍ର ଆନ୍ଦୋଳନ: ଲାଗିଲା ଫ୍ରି କାଶ୍ମୀର, ଆରଏସଏସ ଗୋ ବ୍ୟାକ୍ ପୋଷ୍ଟର

Spread the love

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରତିଷ୍ଠିତ ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିରେ ଛାତ୍ର ଆନ୍ଦୋଳନ ହିଂସକ ରୂପ ନେଇଛି। କ୍ୟାମ୍ପସ ଇଲେକ୍ସନକୁ ପୁନଃ ଆରମ୍ଭ କରିବାକୁ ଦାବି କରୁଥିବା ଛାତ୍ରଛାତ୍ରୀମାନେ ଶନିବାର ୟୁନିଭର୍ସିଟି ସୁରକ୍ଷାକର୍ମୀଙ୍କ ସହ ମାରପିଟ କରିଥିଲେ। ଗଣ୍ଡଗୋଳ ବଢ଼ିବାରୁ ୟୁନିଭର୍ସିଟି କର୍ତ୍ତୃପକ୍ଷ ସମସ୍ତ କ୍ଲାସକୁ ଅନଲାଇନ୍ କରିଛନ୍ତି। ଘଟଣା ବେଳର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଛାତ୍ରଛାତ୍ରୀ ଓ ସୁରକ୍ଷାକର୍ମୀ ପରସ୍ପର ମାରପିଟ୍ କରୁଥିବା ଦେଖାଯାଉଛି। ଅନ୍ୟ ଆନ୍ଦୋଳନକାରୀମାନେ ସୁରକ୍ଷା କର୍ମୀ ଓ ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ପରସ୍ପର ଠାରୁ ଅଲଗା କରି ପରିସ୍ଥିତି ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ଜାମିଆ ମିଲିଆ ଇସଲାମିଆ ଛାତ୍ର ସଂଘ’ (JMISU) ପାଇଁ ନିର୍ବାଚନ ପ୍ରକ୍ରିୟାକୁ ପୁନଃ ଆରମ୍ଭ କରିବାକୁ ଦାବି କରି ଅକ୍ଟୋବର ୧୨ ତାରିଖରୁ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି। ଶନିବାର ଯେତେବେଳେ ଯୁନିଭର୍ସିଟିର ଗାର୍ଡ ଆନ୍ଦୋଳନକାରୀ ଛାତ୍ରଙ୍କର ବ୍ୟାନର ହଟାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ତେଣୁ ମାମଲା ଉତ୍ତେଜନାପୂର୍ଣ୍ଣ ରହିଛି। ସୂଚନା ଥାଉକି ଏହି ୟୁନିଭର୍ସିଟିରେ ୨୦୦୬ ମସିହାରୁ ଛାତ୍ର ସଂଘ’ ନିର୍ବାଚନ ବନ୍ଦ ରହିଛି। ସେହି ବର୍ଷ ୟୁନିଭର୍ସିଟିରେ ଏକ ବଡ଼ଧରଣର ହିଂସାକାଣ୍ଡ ଘଟିଥିଲା। ଫଳରେ କଲେଜରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ଛାତ୍ରସଂଘ ଭଙ୍ଗ କରିଦିଆଯାଇଥିଲା।

ଲାଗିଲା ଫ୍ରି ସର୍ଜିଲ ଇମାମ ଓ ଫ୍ରି କାଶ୍ମୀର ନାରା

ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିରେ ଛାତ୍ର ଆନ୍ଦୋଳନ ହେଲେ ବିବାଦ ହେବା ଥୟ। ଏଥର ବି ବିବାଦ ଦେଖା ଦେଇଛି। ଆନ୍ଦୋଳନ ବେଳେ ଫ୍ରି ସର୍ଜିଲ ଇମାମ ଓ ଫ୍ରି କାଶ୍ମୀର ନାରା ଓ ସହ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଆରଏସଏସ ଗୋ ବ୍ୟାକ୍ ପୋଷ୍ଟର ମଧ୍ୟ ଲାଗିଥିଲା। ଯାହା ଏକ ନୂଆ ବିବାଦକୁ ଜନ୍ମ ଦେଇଛି।
ସୂଚନା ଥାଉକି, ସର୍ଜିଲ ଇମାମ ୟୁନିବର୍ସିଟିର ଏକ ପିଏଚଡି ସ୍କଲାର। ସିଏଏ ବିରୋଧୀ ଆନ୍ଦୋଳନ ସହ ଜଡ଼ିତ ମାମଲାରେ ସେ ଜେଲ୍‌ରେ ଅଛନ୍ତି। ଏବଂ ତାଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଆଇନରେ ମାମଲା ରୁଜୁ କରାଯାଇଛି।

କଂଗ୍ରେସ ସାଂସଦ ଇମ୍ରାନ ମସୁଦ ଆନ୍ଦୋଳନରତ ପିଲାଙ୍କୁ ସମର୍ଥନ ଦେବାକୁ ଶୁକ୍ରବାର ସନ୍ଧ୍ୟାରେ ୟୁନିଭର୍ସିଟି କ୍ୟାମ୍ପସରେ ପହଞ୍ଚିଥିଲେ। ଏହାପରେ ପୁଲିସ ତାଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲା। ତେବେ ସେ ଫ୍ରି କାଶ୍ମୀର ପୋଷ୍ଟରକୁ ସେ ଆଦୌ ସମର୍ଥନ କରୁ ନାହାନ୍ତି। ବରଂ କାଶ୍ମୀର ପାଇଁ ଦରକାର ପଡ଼ିଲେ ସେ ପ୍ରାଣ ଦେଇପାରନ୍ତି ବୋଲି କହିଛନ୍ତି। ଏବଂ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଇମ୍ରାନ କହିଛନ୍ତି “ଯେଉଁମାନେ ଏହି ଛାତ୍ର ଆନ୍ଦୋଳନକୁ ଭାଙ୍ଗି ଦେବାକୁ ଚାହୁଁଛନ୍ତି ସେମାନେ ବୁଝିବା ଦରକାର ଯେ କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏହାକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରଖିବାକୁ ଆମେ ଜୀବନ ଦେବାକୁ ବି ପଛାଇବୁ ନାହିଁ।”

Leave a Reply

Your email address will not be published. Required fields are marked *