Madrasa e1779378775810 300x251

ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ବନ୍ଦେ ମାତରମ୍ ଗାଇବା ବାଧ୍ୟତାମୂଳକ

Spread the love

କୋଲକତା : ପଶ୍ଚିମବଙ୍ଗର ବିଜେପି ସରକାର ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ସମସ୍ତ ମଦ୍ରାସାରେ ପ୍ରତିଦିନ ପ୍ରାର୍ଥନା ସଭା ସମୟରେ ଜାତୀୟ ଗୀତ ବନ୍ଦେ ମାତରମ୍ ଗାନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟର ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି । ପୂର୍ବରୁ ଏହି ନିୟମ କେବଳ ସାଧାରଣ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଲାଗୁ ଥିବାବେଳେ, ଏବେ ଏହାକୁ ମଦ୍ରାସା ଗୁଡ଼ିକ ପାଇଁ ମଧ୍ୟ ଲାଗୁ କରାଯାଇଛି ।

ପଶ୍ଚିମବଙ୍ଗର ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ସରକାରୀ ମଡେଲ ମଦ୍ରାସା, ସ୍ୱୀକୃତିପ୍ରାପ୍ତ ସରକାରୀ ସହାୟତା ପ୍ରାପ୍ତ ମଦ୍ରାସା, ଅନୁମୋଦିତ MSK (ମଦ୍ରାସା ଶିକ୍ଷା କେନ୍ଦ୍ର), ଅନୁମୋଦିତ SSK (ଶିଶୁ ଶିକ୍ଷା କେନ୍ଦ୍ର) ଏବଂ ସମସ୍ତ ସ୍ୱୀକୃତିପ୍ରାପ୍ତ ବେସରକାରୀ (ଅଣ-ସହାୟତା ପ୍ରାପ୍ତ) ମଦ୍ରାସାରେ ଏହି ନିୟମ ଲାଗୁ ହେବ । ଦୈନିକ କ୍ଲାସ୍ ବା ପାଠପଢ଼ା ଆରମ୍ଭ ହେବା ପୂର୍ବରୁ ହେଉଥିବା ସକାଳ ପ୍ରାର୍ଥନା ସଭାରେ ସମସ୍ତଙ୍କୁ ବନ୍ଦେ ମାତରମ୍ ଗାନ କରିବାକୁ ହେବ ଏବଂ ଏହି ନିର୍ଦ୍ଦେଶ ତତ୍କାଳ ପ୍ରଭାବରୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି ।

ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ମନ୍ତ୍ରୀ ଖୁଦିରାମ ଟୁଡୁ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଏମିତି ଅନେକ ସରକାରୀ ବିଦ୍ୟାଳୟ ରହିଛି, ଯେଉଁଠାରେ ସାନ୍ତାଳୀ ଭାଷାରେ ପାଠପଢ଼ା ହୁଏ । ଯଦି ସେହି ସବୁ ସ୍କୁଲରେ ବନ୍ଦେ ମାତରମ୍ ଗାନ କରିବା ବାଧ୍ୟତାମୂଳକ ହୋଇପାରୁଛି, ତେବେ ରାଜ୍ୟର ସ୍ୱୀକୃତିପ୍ରାପ୍ତ ମଦ୍ରାସାଗୁଡ଼ିକରେ ଏହାକୁ କାହିଁକି ଲାଗୁ କରାଯାଇପାରିବ ନାହିଁ ? ଏହି ଚିନ୍ତାଧାରାକୁ ଆଧାର କରି ପଶ୍ଚିମବଙ୍ଗ ମଦ୍ରାସା ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଅଫିସିଆଲ ଆଦେଶ ଜାରି କରାଯାଇଛି, ଯାହାଦ୍ୱାରା ସମସ୍ତ ସହାୟତା ପ୍ରାପ୍ତ ମଦ୍ରାସାରେ ବନ୍ଦେ ମାତରମ୍ ଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମେ’ ୧୩ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ବନ୍ଦେ ମାତରମ୍ ବାଧ୍ୟତାମୂଳକ କରାଯାଇଥିଲା । ଏବେ ଏହି ନୀତି ମଦ୍ରାସାରେ ମଧ୍ୟ ଲାଗୁ କରାଯିବ ।

Leave a Reply

Your email address will not be published. Required fields are marked *